ନୂଆଦିଲ୍ଲୀ: ପୂର୍ବ ଏନ୍ଡିଏ ସରକାର ସମୟରେ ରାଜ୍ୟସଭାରେ ପାରିତ ହୋଇପାରିନଥିବା ‘ଟ୍ରିପଲ ତଲାକ୍’ ବିଲ୍ ନୂଆ ରୂପରେ ଆସନ୍ତାକାଲି ଲୋକସଭାରେ ଆଗତ ହେବ। ମୁସଲିମ୍ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ୍ ୨୦୧୯ ନାମରେ ନାମିତ ଏହି ବିଲ୍ ପୂର୍ବ ସରକାର ଫେବୃଆରୀ ମାସରେ ଆଣିଥିବା ଅଧ୍ୟାଦେଶର ସ୍ଥାନ ନେବ। ଏହି ବିଲ୍ ପାରିତ ହେଲେ ତତ୍କାଳ ତିନି ଥର ତଲାକ୍ କହି ଛାଡ଼ପତ୍ର ଦେଉଥିବା ମୁସଲିମ୍ ପୁରୁଷଙ୍କୁ ୩ ବର୍ଷର ଜେଲ ହୋଇପାରିବ।
ଏହି ବିଲ୍କୁ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ବିରୋଧ କରୁଥିଲେ। ସେମାନଙ୍କ କହିବା ଅନୁଯାୟୀ ଏହା ଘରୋଇ ମାମଲା ଏଥିରେ ଜେଲଦଣ୍ଡ କିପରି ରହିପାରିବ। ସେମାନେ ଆହୁରି ମଧ୍ୟ କହିଥିଲେ, ଏହାଦ୍ୱାରା କେବଳ ମୁସଲିମ୍ମାନେ ଆଇନର ଶିକାର ହେବେ।
ସରକାର ଯୁକ୍ତି ବାଢ଼ିଥିଲେ, ଏହା ବହୁଦିନ ଧରି କଷ୍ଟ ସହିଆସୁଥିବା ମହିଳାଙ୍କ ପାଇଁ ଆଶ୍ୱସ୍ତି ହେବ। ଏହା ସେମାନଙ୍କୁ ସମାନ ଅଧିକାର ପ୍ରଦାନ କରିବ। ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିସାରିଛନ୍ତି ଏହି ବିଲ୍ ସରକାରଙ୍କ ‘ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ’ ଲକ୍ଷ୍ୟର ଏକ ଅଂଶ। ବିଧେୟକ ପାରିତ ହୋଇନଥିବାରୁ ସରକାର କେବଳ ଅଧ୍ୟାଦେଶ ବଳରେ ତତ୍କାଳ ଟ୍ରିପଲ ତଲାକ୍କୁ ବେଆଇନ ଘୋଷିତ କରି ନିର୍ଦ୍ଦେଶ ଦେଇଥିଲେ। ନୂଆ ବିଲ୍ ଏହି ଅଧ୍ୟାଦେଶର ନକଲ। ୧୭ତମ ଲୋକସଭାର ପ୍ରଥମ ଅଧିବେଶନରେ ଏହି ବିଲ ସମେତ ୧୦ଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବାର ଯୋଜନା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।