ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବୁଲୁଛି ନୂଆ ୨୦୦ଟଙ୍କିଆ ନୋଟ୍। ଫେସବୁକ୍ ଏବଂ ଟୁଇଟରେ ହେଉଛି ଭାଇରାଲ। ଲାଇକ୍, କମେଣ୍ଟ ସାଙ୍ଗକୁ ସେୟାର ମଧ୍ୟ ହେଉଛି। ପ୍ରଚାର ହେଉଛି ଏହି ନୂଆ ନୋଟ୍ କୁଆଡ଼େ ଆରବିଆଇ ପକ୍ଷରୁ ଛପାଯାଇଛି। ନୋଟ୍ରେ ଗାନ୍ଧୀ ଫଟୋ ଅଛି, ହିନ୍ଦୀ ସାଙ୍ଗକୁ ଅଧିକ ଆଞ୍ଚଳିକ ଭାଷା ରହିଛି ଏବଂ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଫିଚର ଥିବା ଚର୍ଚ୍ଚା ହେଉଛି। ହେଲେ ଏହା ସତ ନା’ ମିଛ। ତାହା ଜଣାପଡ଼ି ନାହିଁ। ସେହିପରି ଏହା ନକଲି ନୋଟ୍ ନୁହେଁତ ଏମିତି ବି ପ୍ରଶ୍ନ ଉଠୁଛି। ସେପଟେ ଆରବିଆଇ ପକ୍ଷରୁ ଏହାର ସତ୍ୟତା ନେଇ କୌଣସି ସ୍ପଷ୍ଟୀ କରଣ ଦିଆଯାଇ ନାହିଁ। ଏହି ମଉକାରେ ମାର୍କେଟକୁ ଜାଲନୋଟ ଆସିବାର ଆଶଙ୍କା ରହିଛି।
ଏହି ନୋଟର ସତ୍ୟତାକୁ ନେଇ ଲୋକେ ଏବେ ଦ୍ୱନ୍ଦ୍ୱରେ। ବିମୁଦ୍ରାକାରଣ ପରେ ସରକାର ନୂଆ ୨ହଜାର ଟଙ୍କିଆ ନୋଟ ପ୍ରଚଳନ କରିଥିଲେ। ତେବେ ଗତ କିଛି ଦିନ ତଳେ ଲାଇଭ ମିଣ୍ଟ ପକ୍ଷରୁ ଏକ ଖବର ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ, ଆରବିଆଇ ନୂଆ ୨୦୦ ଟଙ୍କିଆ ନୋଟ ପ୍ରଚଳନ କରିବା ପାଇଁ ଯୋଜନା କରୁଛି। ଅର୍ଥାତ ବଜାରକୁ ନୂଆ ୨୦୦ ଟଙ୍କିଆ ନୋଟ୍ ଆସିବ ବୋଲି ପ୍ରଚାର ହୋଇଯାଇଥିଲା। ହେଲେ ଏନେଇ ଆରବିଆଇ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନ ଥିଲା। ଆଉ ଏବେ ସୋସିଆଲ ମିଡିଆରେ ୨୦୦ ଟଙ୍କିଆ ନୋଟ୍ ଭାଇରାଲ ହେବା ପରେ ଲୋକେ ଅନ୍ଧାରର । ଏହା ସମ୍ପୂର୍ଣ୍ଣ ନକଲି ବୋଲି ଅଧିକାଂଶ ଗ୍ରହଣ କରିପାରୁ ନାହାନ୍ତି । ତେଣୁ ଆରବିଆଇ ଏହାର ଉତ୍ତର ରଖିବା ଉଚିତ୍ ବୋଲି ଦାବି ଉଠୁଛି।