ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତି ଅଙ୍କ ଲଗାତାର ନୂଆ ମୋଡ଼ ନେବାରେ ଲାଗିଛି। ନିର୍ବାଚନ ଫଳ ସାମ୍ନାକୁ ଆସିବାରେ ଇତିମଧ୍ୟରେ ୨ ସପ୍ତାହ ବିତିଯାଇଥିବାବେଳେ ପ୍ରତିଦିନ ଭିନ୍ନ ଭିନ୍ନ ଘଟଣା ସବୁ ଘଟିବାରେ ଲାଗିଛି। ମଙ୍ଗଳବାର ଶିବସେନା ପକ୍ଷରୁ କୁହାଯାଇଥିଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କେବଳ ତାଙ୍କ ଦଳରୁ ହେବେ। ମାତ୍ର ପରେ କୁହାଯାଇଛି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ୍ ଗଡ଼କରୀ ସମାଧାନର ସୂତ୍ର ବାହାର କରିପାରିବେ। ମାତ୍ର ୨ ଘଣ୍ଟାରେ ସମାଧାନ ହୋଇଯିବ ବୋଲି ଶିବସେନା ପକ୍ଷରୁ କୁହାଯାଇଛି।
ଶିବସେନା ନେତା କିଶୋର ତିୱାରୀ କହିଛନ୍ତି, “ମୁଁ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗୱତଙ୍କୁ ଚିଠି ଲେଖିଛି। ସେ ହସ୍ତକ୍ଷେପ କରିବାକୁ ଏବଂ ଏହି ବିବାଦର ସମାଧାନ କରାଇବାକୁ ଗଡ଼କରୀଙ୍କୁ ପଠାଇବାକୁ କହିଛି। ନୀତୀନ୍ ଗଡ଼କରୀ ୨ ଘଣ୍ଟାରେ ସମାଧାନ କରିଦେବେ।”
ଶିବସେନା ବିଜେପି ବ୍ୟତୀତ ଏନ୍ସିପି ସହ ମଧ୍ୟ ଯୋଗାଯୋଗରେ ରହିଥିବା ଚର୍ଚ୍ଚା ହେଉଛି। କିନ୍ତୁ ବରିଷ୍ଠ ବିଜେପି ନେତା ନୀତୀନ ଗଡ଼କରୀ ଆରଏସ୍ଏସ୍ ସହ ଅଧିକ ଘନିଷ୍ଠ ଏବଂ ଶିବସେନା ସହ ସୁସମ୍ପର୍କରେ ଥିବାରୁ ସେ ଭବିଷ୍ୟତରେ ବିବାଦରେ ହସ୍ତକ୍ଷେପ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।