ଶ୍ରୀନଗର: ଜମ୍ମୁ କଶ୍ମୀରରେ କୌଣସି ହିଂସା କିମ୍ୱା କେହି ମୃତାହତ ହୋଇନଥିବାର ଅର୍ଥ ସବୁ ଠିକଠାକ୍ ଅଛି ଭାବିବା ଠିକ ହେବନି। ଶ୍ରୀନଗର ମେୟର ଜୁନେଦ୍ ଅଜିମ୍ ମଟ୍ଟୁ ଗତକାଲି ଏହା କହିଛନ୍ତି। ଆଉ ଦୁଇ ଦିନ ପରେ ଧାରା ୩୭୦ ଉଚ୍ଛେଦକୁ ମାସେ ପୂରଣ ହେଉଥିବା ବେଳେ ଶ୍ରୀନଗର ମେୟରଙ୍କ ଏଭଳି ମନ୍ତବ୍ୟ ଅନେକ କିଛି ଘଟଣାକୁ ଇଙ୍ଗିତ କରୁଛି।
ମେୟର ତଥା ଜେକେପିସି ରାଜନୀତିକ ଦଳର ପ୍ରବକ୍ତା ଜୁନେଦ୍ ଅଜିମ୍ ମଟ୍ଟୁ ତାଙ୍କ ଦଳର ମୁଖ୍ୟ ନେତା ଓ ଅନ୍ୟାନ୍ୟ ଦଳର ନେତାଙ୍କୁ ଗିରଫ କରାଯିବାକୁ ସମାଲୋଚନା କରିଛନ୍ତି। ଏବେ ସରକାର କହୁଛନ୍ତି ସ୍ଥିତି ସ୍ୱାଭାବିକ, ହେଲେ ଏବେ ବି ଅନେକ ପରିବାର ରହିଛନ୍ତି ଯେଉଁମାନେ କି ତାଙ୍କ ପ୍ରିୟଜନଙ୍କ ସହିତ କଥା ହୋଇ ପାରୁନାହାନ୍ତି। ଏମିତିକି କଶ୍ମୀରବାସୀ ନିଜ ମୌଳିକ ଅଧିକାରରୁ ବଞ୍ଚିତ ଅଛନ୍ତି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଧାରା ୩୭୦ ଉଚ୍ଛେଦ ପୂର୍ବରୁ ଜମ୍ମୁ ଓ କଶ୍ମୀରର ଦୁଇ ମେୟରଙ୍କୁ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ବଳରେ ରାଜ୍ୟ ମନ୍ତ୍ରୀ ପାହ୍ୟାକୁ ଉନ୍ନୀତ କରିଥିଲେ।
ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ ହୋଇଥିବା ବେଳେ ଏବେ ସ୍ଥିତି ସ୍ୱାଭାବିକ ରହିଛି। ମାସେ ପୂରିବାକୁ ଆଉ ୨ ଦିନ ଥିବା ବେଳେ ଏଯାବତ ଧାରା ୩୭୦ ଉଚ୍ଛେଦକୁ ନେଇ କୌଣସି ହିଂସା କିମ୍ୱା କେହି ମୃତାହତ ହୋଇନାହାନ୍ତି ବୋଲି କେନ୍ଦ୍ର ସରକାର ଓ ଜମ୍ମୁ କଶ୍ମୀର ପ୍ରଶାସନ କହୁଛନ୍ତି।