ବେଙ୍ଗାଲୁରୁ: କର୍ଣ୍ଣାଟକାରେ ଗତକାଲି ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାରରୁ ୧୩ ଜଣ ବିଧାୟକଙ୍କ ଇସ୍ତଫା ପରେ ରାଜ୍ୟରେ ରାଜନୀତିକ ସଙ୍କଟ ଜାରି ରହିଛି। ଉଭୟ କଂଗ୍ରେସ ଓ ଜେଡିଏସ ନେତୃତ୍ଵ ମାରାଥନ୍ ଆଲୋଚନା ଜରିଆରେ ବିପଦ ଟାଳିବା ପାଇଁ ପ୍ରୟାସ ଚଳାଇଛନ୍ତି। ଏପଟେ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ତାଙ୍କ ବିଦେଶ ଗସ୍ତକୁ କାଣ୍ଟଛାଣ୍ଟ କରି ଆଜି ଫେରି ଆସିଛନ୍ତି ଏବଂ ରବିବାର ରାତିରେ ମେଣ୍ଟର ବରିଷ୍ଠ ନେତାଙ୍କ ସହ ତାଙ୍କର ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ୧୦୫ ଜଣ ବିଧାୟକଙ୍କ ସହ ବିଜେପି କର୍ଣ୍ଣାଟକାରେ ସରକାର ଗଠନ ପାଇଁ ଗୋଡ଼ ଲମ୍ବାଇ ବସିଛି।
୧୩ ଜଣ ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରମୈୟା ଗୁରୁବାର ଦଳର ଏକ ବୈଠକ ଡାକିଛନ୍ତି। ସେ ସମସ୍ତ ବିଧାୟକଙ୍କୁ ନିମନ୍ତ୍ରଣ କରି କହିଛନ୍ତି, କେହି ଅନୁପସ୍ଥିତ ରହିଲେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ପ୍ରସ୍ତୁତ ରହିବାକୁ ହେବ। ଆଗାମୀ କିଛି ଦିନରେ ଆଉ କିଛି ବିଧାୟକ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିବାରୁ ଏହି ବୈଠକ ଗୁରୁତ୍ୱ ବହନ କରୁଛି।
ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଲଙ୍କ ସମେତ ବହୁ ବରିଷ୍ଠ ନେତା ରବିବାର ରୁଦ୍ଧଦ୍ୱାର ବୈଠକ କରି ମାନସ ମନ୍ଥନ କରିଛନ୍ତି। ମେଣ୍ଟ ସରକାରକୁ ବଞ୍ଚାଇ ରଖିବା ପାଇଁ ସେମାନେ ଯଥା ସମ୍ଭବ କସରତ ଚଳାଇଛନ୍ତି। ଏପରିକି ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ କି କି ପଦକ୍ଷେପ ନିଆଯାଇ ପାରିବ, ସେଥିପାଇଁ ବିଭିନ୍ନ ବିକଳ୍ପ ଖୋଜା ଚାଲିଛି। ବିଦ୍ରୋହୀ ବିଧାୟକଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ପ୍ରୟାସ କରାଯାଉଛି। ଏହି ବୈଠକରେ ଭେନୁଗୋପାଲ ଏବଂ ସିଦ୍ଧରମୈୟାଙ୍କ ବ୍ୟତୀତ ବରିଷ୍ଠ ତଥା ପ୍ରଭାବଶାଳୀ କଂଗ୍ରେସ ନେତା ଜି ପରମେଶ୍ୱର ଏବଂ ଡିକେ ଶିବକୁମାର ମଧ୍ୟ ଏହି ସଙ୍କଟରୁ ମେଣ୍ଟ ସରକାର କିପରି ବର୍ତ୍ତିପାରିବ, ସେ ବିଷୟରେ ବିଚାର ବିମର୍ଶ କରୁଛନ୍ତି।
ଶିବକୁମାର ଗଣମାଧ୍ୟମକୁ କହିଛନ୍ତି, "ମୁଁ ଭାବୁଛି ଖୁବ୍ ଶୀଘ୍ର ସମାଧାନ ହୋଇଯିବ। ଆମେ ସଙ୍କଟ ମୋଚନ ପାଇଁ ସମାଧାନ ଖୋଜିବାରେ ଲାଗିଛୁ। ମୁଁ ସରକାର ବଞ୍ଚାଇବା ପାଇଁ ଯେକୌଣସି ପ୍ରକାର ତ୍ୟାଗ କରିବାକୁ ପ୍ରସ୍ତୁତ।"
ଏତେବଡ଼ ସଂଖ୍ୟାରେ ବିଧାୟକଙ୍କ ଇସ୍ତଫା କିଭଳି ହେବାକୁ ଦିଆଗଲା, ତାହା ଦଳର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ କଂଗ୍ରେସକୁ ପଚରା ଯାଇଥିବା ଜଣାପଡ଼ିଛି। ନିର୍ଦ୍ଦିଷ୍ଟ ଭାବେ ବିରାତି ବାସବରାଜ, ଏସ୍ଟି ସୋମଶେଖର ଏବଂ ମୁନି ରତ୍ନ ଆଦି ସିଦ୍ଧରମୈୟାଙ୍କ ଘନିଷ୍ଠ ହୋଇଥିବା ସତ୍ତ୍ୱେ କିଭଳି ଭାବେ ସେମାନେ ଇସ୍ତଫା ଦେଲେ ସେନେଇ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ପ୍ରଶ୍ନ ଉଠାଇଛି।
ତେବେ ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରୁ ୧୦ ଜଣ ମୁମ୍ବାଇର ନିର୍ଦ୍ଦିଷ୍ଟ ଏକ ହୋଟେଲରେ ରହୁଥିଲେ ମଧ୍ୟ ମହାରାଷ୍ଟ୍ର ବିଜେପି ପକ୍ଷରୁ କୁହାଯାଇଛି ସେମାନେ ଏହି ବିଷୟରେ କିଛି ଜାଣନ୍ତିନି। ତେବେ ବିଶେଷ ସୂତ୍ରରୁ ଜଣାପଡ଼ିଛି, କିଛି ବିଜେପି ନେତା ଏହି ହୋଟେଲରେ ବିଧାୟକମାନଙ୍କୁ ଯାଇ ଭେଟିଛନ୍ତି। କୁହାଯାଉଛି, ଯଦି ଏହି ବିଧାୟକମାନଙ୍କ ଇସ୍ତଫା ଗୃହୀତ ହୋଇଯାଏ ଏବଂ ବିଜେପି ସରକାର ଗଠନ କରେ ତେବେ ୟେଦୁରପ୍ପା ହିଁ ପୁଣି କର୍ଣାଟକାର ମୁଖ୍ୟମନ୍ତ୍ରୀ ହେବେ।