ମୁମ୍ବାଇ: ଏନ୍ସିପି ନେତା ଅଜିତ ପାଓ୍ୱାର ମହାରାଷ୍ଟ୍ରରେ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଅଜିତ ଏବଂ ତାଙ୍କ ଦାଦା ତଥା ଏନ୍ସିପି ସୁପ୍ରିମୋ ଶରଦ ପାୱାରଙ୍କ ମଧ୍ୟରେ ଟ୍ୱିଟ୍ ଯୁଦ୍ଧ ଆରମ୍ଭ ହୋଇଛି। ଅଜିତ ଟ୍ୱିଟ୍ କରି ଏମିତି କିଛି କହିଛନ୍ତି, ଯାହାକି ଏବେ ମହାରାଷ୍ଟ୍ର ରାଜନୀତିକୁ ଆହୁରି ରହସ୍ୟ ଘେରକୁ ନେଇଛି। ଅନ୍ୟପକ୍ଷରେ ଶରଦ ମଧ୍ୟ ଏହାର ସ୍ପଷ୍ଟ ଜବାବ ରଖିଛନ୍ତି। ଅଜିତ ବର୍ତ୍ତମାନ ମଧ୍ୟ ନିଜ ଜିଦ୍ରୁ ଅଟଳ ଥିବାବେଳେ ଶରଦ ମଧ୍ୟ କଂଗ୍ରେସ ଓ ଶିବସେନା ସହ ସମର୍ଥନ ରହିଥିବା କହିଛନ୍ତି। ସେ ଅଜିତଙ୍କ ମନ୍ତବ୍ୟକୁ ଖଣ୍ଡନ କରିବାକୁ ଯାଇ ଏହା ବିଭ୍ରାନ୍ତିକର କହିବାକୁ ମଧ୍ୟ ପଛାଇନାହାନ୍ତି।
ଗତକାଲି ଅଜିତ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ମଧ୍ୟ ଟୁଇଟରରେ ସେ ତାଙ୍କ ପଦବୀକୁ ନେଇ କୌଣସି ପରିବର୍ତ୍ତନ କରିନଥିଲେ। ଆଜି ଅପରାହ୍ନରେ ଉପମୁଖ୍ୟମନ୍ତ୍ରୀ ବୋଲି ଲେଖିବା ସହ ଏନସିପିର ନେତା ବୋଲି ଉଲ୍ଲେଖ କରିଛନ୍ତି।
ଦୁଃଖ ପ୍ରକାଶ କରିବାର ଆବଶ୍ୟକ ନାହିଁ, ସବୁକିଛି ଠିକ୍ ଠାକ ଅଛି। ଧୈର୍ଯ୍ୟ ରଖିବାର ଆବଶ୍ୟକ ରହିଛି ବୋଲି ଅଜିତ ପାଓ୍ୱାର ଟୁଇଟ୍ କରି କହିଛନ୍ତି। ସେହିପରି ଆଉ ଏକ ଟୁଇଟରେ ସେ ଲେଖିଛନ୍ତି, ମୁଁ ଦଳ (ଏନସିପି)ରେ ଅଛି, ସାହେବ (ଶରଦ) ଆମର ନେତା। ବିଜେପି-ଏନସିପି ମେଣ୍ଟ ରାଜ୍ୟରେ ଆଗାମୀ ୫ ବର୍ଷ ପାଇଁ ସ୍ଥିର ସରକାର ଦେବ।
ଅନ୍ୟପକ୍ଷରେ ଶରଦ ଏହାର ଜବାବରେ କହିଛନ୍ତି, “ବିଜେପି ସହ ମେଣ୍ଟ କରିବାର କୌଣସି ପ୍ରଶ୍ନ ଉଠୁନି। ଏନ୍ସିପି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇସାରିଛି ଶିବସେନା ଏବଂ କଂଗ୍ରେସ ସହ ମିଶି ସରକାର ଗଠନ କରାଯିବ। ଅଜିତ ପାୱାରଙ୍କ ବିବୃତି ମିଛ ଏବଂ ଦ୍ୱନ୍ଦ୍ୱ ସୃଷ୍ଟିକାରୀ। ଏହା ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିବା ଉଦ୍ଦିଷ୍ଟ।”
ଅଜିତ ଟ୍ୱିଟ୍ ଯୋଗେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନ, ହର୍ଷବର୍ଦ୍ଧନ, ସ୍ମୃତି ଇରାନୀ, ଅନୁରାଗ ଠାକୁରଙ୍କୁ ଶୁଭେଚ୍ଛା ବାର୍ତ୍ତାର ଜବାବ ଦେବାକୁ ଯାଇ ଧନ୍ୟବାଦ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛାର ଜବାବ ଦେବାକୁ ଯାଇ ଅଜିତ ଲେଖିଛନ୍ତି, ଧନ୍ୟବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେ ଏକ ସ୍ଥାୟୀ ସରକାର ଦେବୁ। ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରିବୁ।
ଗତକାଲି ଏନସିପି ଅଜିତଙ୍କୁ ଦଳୀୟ ବିଧାୟକ ପଦବୀରୁ ହଟାଇ ଜୟନ୍ତ ପାଟିଲକୁ କରିଛି। ଏନସିପି ମଧ୍ୟ ରାଜ୍ୟପାଳଙ୍କୁ ବିଧାୟକ ଦଳର ନେତା ବାବଦରେ ଅବଗତ କରାଇଛି। ଯେଉଁ ବିଧାୟକ ତାଲିକା ରହିଛି ସେଥିରେ ଅଜିତଙ୍କ ନାମ ମଧ୍ୟ ରହିଛି। ହେଲେ ହସ୍ତାକ୍ଷର ନାହିଁ। ପାଓ୍ୱାର ପରିବାର ଅଜିତଙ୍କୁ ବୁଝାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଥିବା ସୂଚନା ରହିଛି।
ମହାରାଷ୍ଟ୍ରରେ ବିଜେପି ଏନସିପି ବିଧାୟକ ଅଜିତ ପାଓ୍ୱାରଙ୍କ ସମର୍ଥନରେ ସରକାର ଗଢ଼ିବା ପରେ ଏବେ ସମସ୍ତଙ୍କ ନଜର ବିଧାନସଭାର ଆସ୍ଥା ଭୋଟ ଉପରେ ରହିଛି। ୩୦ ତାରିଖ ଭିତରେ ଏହି ଆସ୍ଥା ଭୋଟ ହେବାର ସମ୍ଭାବନା ରହିଛି। ଅଜିତଙ୍କ ସମର୍ଥନ ଏନସିପିର ସମର୍ଥନ ନୁହେଁ ବୋଲି ସୁପ୍ରିମୋ ଶରଦ ପାଓ୍ୱାର କହିସାରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।