ତେଜୁଛି କଂଗ୍ରେସ କଳି: ଏଥର ସ୍ୱର ଉଠାଇଲେ ଚିଦାମ୍ବରମ

ନୂଆଦିଲ୍ଲୀ: ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଏବେ ଦଳୀୟ କନ୍ଦଳକୁ ତୀବ୍ର କରିବାରେ ଲାଗିଛି। ଜଣଙ୍କ ପରେ ଜଣେ ବରିଷ୍ଠ ନେତା କଂଗ୍ରେସ ନେତୃତ୍ୱ ଓ ସାଂଗଠନିକ ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି। ପୂର୍ବରୁ କପିଲ ଶିବଲ ଦଳର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଏବେ ପି ଚିଦାମ୍ବରମ ସାଂଗଠନିକ ସ୍ଥିତି କଥା କହିଛନ୍ତି। ସେ କହିଛନ୍ତି, ବିହାର ବିଧାନସଭା ନିର୍ବାଚନ ଓ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନରୁ ଗୋଟିଏ କଥା ସ୍ପଷ୍ଟ ହେଉଛି […]

h

Hemant Lenka
  • Published: Wednesday, 18 November 2020
  • , Updated: 18 November 2020, 04:28 PM IST

ନୂଆଦିଲ୍ଲୀ: ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଏବେ ଦଳୀୟ କନ୍ଦଳକୁ ତୀବ୍ର କରିବାରେ ଲାଗିଛି। ଜଣଙ୍କ ପରେ ଜଣେ ବରିଷ୍ଠ ନେତା କଂଗ୍ରେସ ନେତୃତ୍ୱ ଓ ସାଂଗଠନିକ ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି। ପୂର୍ବରୁ କପିଲ ଶିବଲ ଦଳର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଏବେ ପି ଚିଦାମ୍ବରମ ସାଂଗଠନିକ ସ୍ଥିତି କଥା କହିଛନ୍ତି।

ସେ କହିଛନ୍ତି, ବିହାର ବିଧାନସଭା ନିର୍ବାଚନ ଓ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ତୃଣମୂଳ ସ୍ତରରେ କଂଗ୍ରେସର କୌଣସି ସାଂଗଠନିକ ଅସ୍ତିତ୍ୱ ନାହିଁ କିମ୍ବା ଏହା କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଛି। ଏହାକୁ ନେଇ ଦଳ ମଧ୍ୟରେ ଥିବା ବିବାଦ ପୁଣିଥରେ ତୀବ୍ର ହେବାରେ ଲାଗିଛି।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, “ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକା ଓ ଗୁଜରାଟ ଉପ ନିର୍ବାଚନର ରେଜଲ୍ଟକୁ ନେଇ ମୁଁ ଚିନ୍ତିତ। ଏହି ସବୁ ରାଜ୍ୟର ରେଜଲ୍ଟରୁ ଗୋଟିଏ କଥା ଜଣାପଡ଼ୁଛି ଯେ କଂଗ୍ରେସର ସାଂଗଠନିକ ଉପସ୍ଥିତି ତୃଣମୂଳ ସ୍ତରରେ ନାହିଁ କିମ୍ବା ଏହା କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଛି।

ବିହାରରେ ଆରଜେଡି-କଂଗ୍ରେସ ସରକାର ଗଠନ କରିବାର ସୁଯୋଗ ଥିଲା। ତଥାପି କଡ଼ା ଟକ୍କର ପରେ ଶେଷରେ ଆମକୁ ହାରିବାକୁ ପଡ଼ିଲା। ଏହି ରେଜଲ୍ଟକୁ ଫୁଙ୍ଖାନୁଫୁଙ୍ଖ ଭାବେ ସମୀକ୍ଷା କରିବାର ସମୟ ଆସି ଯାଇଛି। ଆମ ସମସ୍ତଙ୍କୁ ମନେ ରଖିବା ଦରକାର ଯେ ଆମେ ନିକଟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଝାରଖଣ୍ଡରେ ବିଜୟୀ ହୋଇଥିଲୁ।

ବିହାର ନିର୍ବାଚନ ସମସ୍ତଙ୍କ ପାଇଁ ଗୋଟିଏ ଶିକ୍ଷା। ଯଦି ତୃଣମୂଳ ସ୍ତରରେ ସାଂଗଠନିକ ସ୍ଥିତି ମଜଭୁତ ରହିଛି, ତା’ହେଲେ ଦଳ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବ। ସିପିଆଇ-ଏମଏଲ ଓ ଏଆଇଏମଆଇଏମ ଭଳି ଛୋଟ ଦଳ ସେମାନଙ୍କର ସାଂଗଠନିକ ସ୍ଥିତି ଯୋଗୁ ବିହାରରେ ଭଲ ପ୍ରଦର୍ଶନ କରିଛନ୍ତି। ବିଜେପି ନେତୃତ୍ୱାଧୀନ ମେଣ୍ଟ ଯେତିକି ଭୋଟ ପାଇଛି, ବିରୋଧୀ ମେଣ୍ଟ ମଧ୍ୟ ସେତିକି ଭୋଟ ପାଇପାରିବ। ହେଲେ ଏଥିପାଇଁ ଆମକୁ ତୃଣମୂଳ ସ୍ତରରେ ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବାକୁ ପଡ଼ିବ।”

ମହାଗଠନବନ୍ଧନକୁ କଂଗ୍ରେସ ଦୁର୍ବଳ କଲା କି ବୋଲି ପ୍ରଶ୍ନର ଉତ୍ତରରେ ଚିଦାମ୍ବରମ କହିଛନ୍ତି, ସାଂଗଠନିକ ସ୍ଥିତି ସୁଦୃଢ଼ ଥିବା ସ୍ଥାନ ତୁଳନାରେ କଂଗ୍ରେସ ଅଧିକ ଆସନରେ ପ୍ରାର୍ଥୀ ଦେଇଥିଲା। କଂଗ୍ରେସ ଏମିତି ୨୫ଟି ସ୍ଥାନରେ ପ୍ରାର୍ଥୀ ଦେଇଥିଲା, ଯେଉଁଠି ବିଜେପି ଓ ଏହାର ସହଯୋଗୀମାନେ ୨୦ ବର୍ଷ ହେଲା ଜିତି ଆସୁଛନ୍ତି।

କଂଗ୍ରେସ ଏଭଳି ଆସନରେ ଲଢ଼ିବା ପାଇଁ ମନା କରିଦେବାର ଥିଲା। କଂଗ୍ରେସ କେବଳ ୪୫ଟି ଆସନରେ ପ୍ରାର୍ଥୀ ଦେଇଥିଲେ ଭଲ ହୋଇଥାଆନ୍ତା ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଆଗକୁ କେରଳ, ତାମିଲନାଡୁ, ପୁଡୁଚେରୀ, ବେଙ୍ଗଲ ଓ ଆସାମରେ ନିର୍ବାଚନ ହେବ। ଏହି ସବୁ ରାଜ୍ୟରେ ରେଜଲ୍ଟ କେମିତି ରହୁଛି, ତା’କୁ ଅପେକ୍ଷା କରିବା ଦରକାର।

Related story