ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ୍ ପାଇଁ ଏବେ ଅନେକ କମ୍ପାନୀ ପ୍ରଭାବିତ ହୋଇଛି। ଏହି କ୍ରମରେ ମୋବାଇଲ ଆପ୍ସରେ ପରିଚାଳିତ ହେଉଥିବା ଖାଦ୍ୟ ଡେଲିଭରୀ କମ୍ପାନୀ ସ୍ୱିଗି ୧,୧୦୦ କର୍ମଚାରୀ ଛଟେଇ କରିବ ବୋଲି ଘୋଷଣା କରିଛି। କିଛି ଦିନ ପୂର୍ବରୁ ସ୍ୱିଗିର ପ୍ରତିଦ୍ୱନ୍ଦୀ କମ୍ପାନୀ ଜୋମାଟୋ ୧୩ ପ୍ରତିଶତ କର୍ମଚାରୀ ଛଟେଇ କରିବ ବୋଲି ଘୋଷଣା କରିଥିଲା।
ସ୍ୱିଗିର ପ୍ରତିଷ୍ଠାତା ଶ୍ରୀହର୍ଷ ମାଜେତି ଏକ ଚିଠି ଜରିଆରେ କହିଛନ୍ତି, ଲକଡାଉନ୍ ପାଇଁ ଖାଇବା ଡେଲିଭରୀ କମ୍ପାନୀ ପ୍ରଭାବିତ ହୋଇଛି। ଏବେ ଏହି ସମସ୍ୟା ଆଗାମୀ କିଛି ଦିନ ପାଇଁ ଲାଗୁ ହେବ। ସ୍ଥିତି ସ୍ୱାଭାବିକ ହେବାକୁ ସମୟ ଲାଗିବ। ସେତେପର୍ଯ୍ୟନ୍ତ କର୍ମଚାରୀଙ୍କ ସଂଖ୍ୟା ହଟାଇ କମ୍ପାନୀକୁ ଆଗକୁ ନେବାକୁ ହେବ। ଯେଉଁ କର୍ମଚାରୀଙ୍କର ଛଟେଇ ହେବ ସେମାନଙ୍କୁ କମ୍ପାନୀ ୩ମାସର ଅତିରିକ୍ତ ଦରମା ଦେବ।
ସୂଚନାଯୋଗ୍ୟ, ସ୍ୱିଗି ପରି ଜମାଟୋ ୧୩% କର୍ମଚାରୀ ଛଟେଇ କରିବ ବୋଲି ଜମାଟୋ ନିଷ୍ପତ୍ତି ନେଇଛି। ଲକଡାଉନ୍ ପାଇଁ ବ୍ୟବସାୟ ଅନେକ ମାତ୍ରାରେ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଖର୍ଚ୍ଚକାଟ କରିବାକୁ ଯାଇ କର୍ମଚାରୀ ଛଟେଇ କରିବା ପାଇଁ ଜମାଟୋ ନିଷ୍ପତ୍ତି ନେଇଛି।
ଲକଡାଉନ୍ ଆରମ୍ଭ ହେବା ପରେ ବିଗତ ଦୁଇ ମାସରେ କମ୍ପାନୀର ବ୍ୟବସାୟ ଅନେକ ପ୍ରଭାବିତ ହୋଇଛି। ତେଣୁ ଏଭଳି ନିଷ୍ପତ୍ତି ନେବାକୁ କମ୍ପାନୀ ବାଧ୍ୟ ହୋଇଛି ବୋଲି କମ୍ପାନୀର ପ୍ରତିଷ୍ଠାତା ଦିପେନ୍ଦର ଗୋୟଲ୍ କହିଥିଲେ।