ନୂଆଦିଲ୍ଲୀ: ପାକିସ୍ତାନର ବର୍ଡର ଆକସନ୍ ଟିମ୍ ଏଲ୍ଓସି ଦେଇ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଥିବାବେଳେ ଭାରତୀୟ ଯବାନଙ୍କ ଘନ ଘନ ଆକ୍ରମଣ ଏହାକୁ ପଣ୍ଡ କରିଛି। ଏଥିରେ ୫ ଜଣ ଅନୁପ୍ରବେଶକାରୀ ନିପାତ ହୋଇଛନ୍ତି। କେରନ୍ ସେକ୍ଟରରେ ଏଭଳି ଘଟଣା ଘଟିଥିବା ସେନା ପକ୍ଷରୁ କୁହାଯାଇଛି। ସେନା ପକ୍ଷରୁ କିଛି ଫଟୋ ମଧ୍ୟ ଜାରି କରାଯାଇଛି ଯେଉଁଥିରେ ଏହି ବେଆଇନ ଅନୁପ୍ରବେଶକାରୀମାନେ ଭାରତର ସୀମା ଭିତରେ ପଡ଼ିରହିଛନ୍ତି। ଗତ ୩୬ ଘଣ୍ଟା ଧରି ଜମ୍ମୁକଶ୍ମୀରରେ ସୁରକ୍ଷା କଡ଼ା କଡ଼ି ହୋଇଥିବାବେଳେ ଏହାକୁ ଭେଦ କରି କଶ୍ମୀର ଉପତ୍ୟକାରେ ଅସ୍ଥିରତା ସୃଷ୍ଟି କରିବାର ପ୍ରୟାସ କରି ପାକିସ୍ତାନ ବିଫଳ ହୋଇଥିବା ସ୍ପଷ୍ଟ ହୋଇଛି।
https://twitter.com/ANI/status/1157675901494145025?s=20
ଏହା ପୂର୍ବରୁ ପାକିସ୍ତାନ ଅଭିଯୋଗ ଆଣିଥିଲା ଭାରତ ଏଲ୍ଓସି ପାର୍ କରି କ୍ଲଷ୍ଟର ବୋମା ବର୍ଷଣ କରିଛି ଏବଂ ଏଥିରେ କୁଆଡ଼େ କିଛି ସାଧାରଣ ଲୋକ ଆହତ ହୋଇଛନ୍ତି। ପାକିସ୍ତାନ ଏଭଳି ଅଭିଯୋଗ ଆଣି ହଟଚମଟ ସୃଷ୍ଟି କରୁଥିଲା। ଭାରତ ଏହାର ଜବାବରେ କହିଛି ଏହା ପାକିସ୍ତାନର ଆଉ ଏକ ମିଛ।
ଭାରତୀୟ ସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି, “ପାକିସ୍ତାନ ସବୁ ସମୟରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଏବଂ ନିଜଆଡ଼ୁ ଗୁଳିମାଡ଼ କରି ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇଥାଏ। ଭାରତ ଏହାର ଜବାବ ଦେଇ ଆସିଛି। ଏଭଳି ପ୍ରତିକ୍ରିୟା କେବଳ ପାକିସ୍ତାନର ଅପପ୍ରୟାସକୁ ଏବଂ ବେଆଇନ ଅନୁପ୍ରବେଶକୁ ଜବାବ ଦେବାପାଇଁ ହୋଇଥାଏ। ଭାରତ ଏଲ୍ଓସିରେ କ୍ଲଷ୍ଟର ବୋମା ବର୍ଷଣ କରିବା ଭଳି ଅଭିଯୋଗ ଆଣିବା ପାକିସ୍ତାନର ଆଉ ଏକ ମିଛ ଏବଂ ପ୍ରତାରଣା।”
ଏହା ପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହବୁଦ କୁରେସି ଟ୍ୱିଟ୍ କରି କହିଥିଲେ, ଭାରତୀୟ ସେନା କୁଆଡ଼େ ଏଲ୍ଓସି ସେପଟେ କ୍ଲଷ୍ଟର ବୋମା ବର୍ଷଣ କରିଛି। ସେ ଏହାକୁ ନିନ୍ଦା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।