ଲଣ୍ଡନ: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଜୋରଦାର ଚାଲିଥିବା ବେଳେ ଜଣେ ପାକିସ୍ତାନର ନେତା ଭାରତ ପ୍ରୀତି ଦେଖାଇ ଗାଇଛନ୍ତି ‘ସାରେ ଜହାଁ ସେ ଅଚ୍ଛା ହିନ୍ଦୁସ୍ତାନ ହମାରା’।
ଏହି ନେତାଙ୍କ ନା ହେଉଛି ଅଲତାଫ୍ ହୁସେନ୍। ସେ ପାକିସ୍ତାନର ଏମକ୍ୟୁଏମ୍ ପାର୍ଟିର ପ୍ରତିଷ୍ଠାତା। ୧୯୮୪ ମସିହାରେ ପ୍ରତିଷ୍ଠା ହୋଇଥିଲା ଏହି ଦଳ। ଏବେ ସେ ଇଂଲଣ୍ଡରେ ରହି ଦଳକୁ ପରିଚାଳନା କରୁଛନ୍ତି।
ଅଲତାଫ୍ ସବୁବେଳେ ପାକିସ୍ତାନ ବିରୋଧୀ ନାରା ଦେଇ ଚର୍ଚ୍ଚାରେ ରୁହନ୍ତି। ଏ ନେଇ ସେ ଗିରଫ୍ ମଧ୍ୟ ହୋଇସାରିଛନ୍ତି। ୨୦୧୬ରେ ପାକିସ୍ତାନ ବିରୋଧୀ ନାରା ଦେଇ ଲଣ୍ଡନରେ ଗିରଫ୍ ହୋଇଥିଲେ।
#WATCH London: Founder of Pakistan’s Muttahida Qaumi Movement (MQM) party, Altaf Hussain sings 'Saare jahan se acha Hindustan hamara.' pic.twitter.com/4IQKYnJjfB
— ANI (@ANI) August 31, 2019
ହୁସେନ ତାଙ୍କ ଭାଷଣରେ ପାକିସ୍ତାନକୁ ଆତଙ୍କବାଦୀଙ୍କ କେନ୍ଦ୍ରସ୍ଥଳୀ, ସାରା ଦୁନିଆ ପାଇଁ ପାକିସ୍ତାନ କ୍ୟାନସର ସଦୃଶ ବୋଲି କୁହନ୍ତି। ଅଲତାଫଙ୍କ ଏମକ୍ୟୁଏମ ପାର୍ଟିର ପତିଆରା ଦୀର୍ଘ ୩୦ ବର୍ଷ ହେବ କରାଚିରେ ରହି ଆସିଛି। ଅଲତାଫଙ୍କୁ ମୁଖ୍ୟତଃ ପାକିସ୍ତାନର ମୁହାଜିରମାନେ ସମର୍ଥନ କରିଥାନ୍ତି। ୧୯୪୭ ମସିହା ବିଭାଜନ ବେଳେ ଭାରତରୁ ପାକିସ୍ତାନକୁ ପଳାଇଥିବା ମୁସଲମାନଙ୍କୁ ମୁହାଜିର କୁହାଯାଏ।
ଅଲତାଫଙ୍କ ଦଳ ଏମକ୍ୟୁଏମର ୨୫ ଜଣ ସାଂସଦ ଏବେ ପାକିସ୍ତାନ ସଂସଦରେ ରହିଛନ୍ତି। ୧୯୯୨ରେ ପାକିସ୍ତାନରେ ରାଜନୀତିକ ହିଂସା ଦେଖାଦେଇଥିଲା। ଏହାପରେ ସେ ଲଣ୍ଡନ ପଳାଇଥିଲେ। ଲଣ୍ଡନରେ ସେ ଶରଣାର୍ଥୀ ହୋଇ ରହୁଥିଲେ। ୨୦୦୨ରେ କିନ୍ତୁ ତାଙ୍କୁ ଇଂଲଣ୍ଡର ନାଗରିକତ୍ୱ ମିଳିଥିଲା। ୨୦୧୫ରେ ପାକିସ୍ତାନର ଏକ କୋର୍ଟ ଅଲତାଫଙ୍କୁ ପଳାତକ ବୋଲି ଘୋଷଣା କରିଛି। ଅଲତାଫଙ୍କ ଫଟୋ କିମ୍ୱା ସେ ଦେଉଥିବା ମନ୍ତବ୍ୟକୁ ଗଣମାଧ୍ୟମରେ ସ୍ଥାନ ନଦେବାକୁ ଲାହୋର ହାଇକୋର୍ଟ ୨୦୧୫ରେ ନିର୍ଦ୍ଦେଶ ଦେଇଥିଲେ।