ନୂଆଦିଲ୍ଲୀ: ଆତଙ୍କବାଦର ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପ୍ରତି ମୁହୂର୍ତ୍ତରେ ଉଦ୍ୟମ କରିଆସୁଛି। ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ ଏଲ୍ଓସି ନିକଟରେ ଥିବା ୭ଟି ଆତଙ୍କବାଦୀ ଲଞ୍ଚପ୍ୟାଡ୍ ସକ୍ରିୟ କରିଛି ପାକିସ୍ତାନ। ୨୭୫ ଜଣ ଆତଙ୍କବାଦୀଙ୍କୁ ଏହି ଲଞ୍ଚପ୍ୟାଡ୍ ଜରିଆରେ ପାକିସ୍ତାନ ସୀମାପାର କାରାଇବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଏହି ଆତଙ୍କବାଦୀଙ୍କ ମଧ୍ୟରେ ଆଫ୍ଗାନ୍ ଏବଂ ପାସ୍ତୁନ୍ ମଧ୍ୟ ଅଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଆସନ୍ତା ମାସରେ ହିଁ ଫାଇନାନ୍ସିଆଲ ଆକ୍ସନ୍ ଟାସ୍କ ଫୋର୍ସ ପାକିସ୍ତାନ ବିରୋଧରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅଛି। ଏହି ସମୟରେ ପାକିସ୍ତାନର ଏଭଳି ଷଡ଼ଯନ୍ତ୍ରକୁ ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହଙ୍କ ସାମ୍ନାକୁ ଆଣିବାକୁ ଭାରତ ଜୋରଦାର ପ୍ରୟାସ କରୁଛି।
ତେବେ ଏହି ଆତଙ୍କବାଦୀ ବା ଜିହାଦୀଙ୍କ ମଧ୍ୟରେ ଆଫଗାନ୍ ଏବଂ ପାସ୍ତୁନ୍ ନାଗରିକ ଥିବା ଆଶ୍ଚର୍ଯ୍ୟଜନକ ମନେ ହେଉଛି। କାରଣ ସାଧାରଣତଃ କେବଳ ପାକିସ୍ତାନୀ ହିଁ ଏହି ଗୋଷ୍ଠୀରେ ଥା’ନ୍ତି ବୋଲି ଏକ ଧାରଣା ରହିଥିଲା।
ପ୍ରାୟ ନବେ ଦଶକ ପରଠାରୁ ପାକିସ୍ତାନ ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ସୀମାପାର ଆତଙ୍କବାଦ ଜୋର କରିଥିଲା। ବିଶେଷ କରି କଶ୍ମୀରରେ ଆତଙ୍କ ସୃଷ୍ଟି କରି ଏହାକୁ ବିଦ୍ରୋହର ରୂପ ଦେବା ଆରମ୍ଭ କରିଥିଲା। ଏହାପରେ ଭାରତୀୟ ସୁରକ୍ଷା କର୍ମୀଙ୍କ ଘଡ଼ ଘନ ଆକ୍ରମଣରେ ପାକିସ୍ତାନ ପିଓକେ ଏବଂ ପଞ୍ଜାବରୁ ଆତଙ୍କବାଦୀ ପଠାଇବା ଆରମ୍ଭ କରିଥିଲା। ଏମାନଙ୍କୁ ଧର୍ମ ଆଧାରରେ ଭାରତ ବିରୋଧରେ ଉସକାଇବା ପାକିସ୍ତାନର ମୁଖ୍ୟ ଲକ୍ଷ୍ୟ ରହିଥିଲା।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ସେନା ଏବଂ ଆଇଏସ୍ଆଇ ଏଲ୍ଓସି ନିକଟରେ ଏହି ଲଞ୍ଚ ପ୍ୟାଡ୍ କରାଇଛନ୍ତି। ଏଠାରେ ଥିବା ଆତଙ୍କବାଦୀମାନେ ମୁଖ୍ୟତଃ ଉତ୍ତର କଶ୍ମୀରର ଏଲ୍ଓସି ଦେଇ ଅନୁପ୍ରବେଶ କରିବାର ଅଛି। ଗୁରେଜ୍ ସେକ୍ଟର ପାଖାପାଖି ୮୦ ଆତଙ୍କବାଦୀ ଥିବାବେଳେ ମଚ୍ଚାଲ ନିକଟରେ ୬୦, କର୍ନା ନିକଟରେ ୫୦, କେରାନ୍ରେ ୪୦, ଉରିଠାରେ ୨୦, ନୌଗାମ୍ଠାରେ ୧୫ ଏବଂ ରାମପୁରଠାରେ ୧୦ ଜଣ ଅନୁପ୍ରବେଶ କରିବା ପାଇଁ ସୁଯୋଗକୁ ଅପେକ୍ଷା କରିଛନ୍ତି।