ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ମାସେ ହେବ ସମସ୍ତ ସମ୍ପର୍କ ବାତିଲ୍ ରହିଛି। ଏବେ କିନ୍ତୁ ପାକିସ୍ତାନରେ ଔଷଧ ଶେଷ ହୋଇଯିବା ପରେ ଜୀବନ ବଞ୍ଚାଇବା ପାଇଁ ପୁଣି ଥରେ ଭାରତ ଉପରେ ନିର୍ଭର କରିଛି ପାକିସ୍ତାନ।
ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ରହିଛି। ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ବ୍ୟାବସାୟିକ, ସାଂସ୍କୃତିକ ଚୁକ୍ତି ବାତିଲ ରହିଛି। ଏମିତିକି କୂଟନୀତିକ ସମ୍ପର୍କ ମଧ୍ୟ ଦୁର୍ବଳ ରହିଛି।
ଭାରତ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପାକିସ୍ତାନ ପ୍ରଥମେ ସମସ୍ତ ଚୁକ୍ତି ତା’ ଆଡୁ ବାତିଲ୍ କରିଥିଲା। ଏବେ କିନ୍ତୁ ଆର୍ଥନୀତିକ ସ୍ତରରେ କାଙ୍ଗାଳ ହୋଇପଡ଼ିଥିବା ପାକିସ୍ତାନ ନିଜ ଦେଶରେ ଔଷଧ ଶେଷ ହୋଇଯାଇଥିବାରୁ ଅକଳରେ ପଡ଼ିଛି।
ଭାରତକୁ ନାଲି ଆଖି ଦେଖାଉଥିବା ପାକିସ୍ତାନ ଏବେ ଜୀବନ ବଞ୍ଚାଇବା ପାଇଁ ଭାରତର ଗୋଡ଼ ତଳେ ପଡ଼ିଛି। ଦୁଇ ଦେଶ ମଧ୍ୟରେ ଶିଳ୍ପ ସମ୍ପର୍କ ବାତିଲ୍ ରହିଥିଲେ ମଧ୍ୟ ଏକ ସ୍ୱତନ୍ତ୍ର ଅଧ୍ୟାଦେଶ ଆଣି ଭାରତରୁ ଔଷଧ ଆମଦାନୀ କରିବ ବୋଲି ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛି। ଏ ନେଇ ପାକିସ୍ତାନର ପ୍ରମୁଖ ଟିଭି ଚ୍ୟାନେଲ୍ ଜିଓ ଟିଭିରେ ଖବର ପ୍ରକାଶ ପାଇଛି। ହେଲେ ଭାରତ ଔଷଧ ରପ୍ତାନୀ କରିବ କି ନାହିଁ ସେ ନେଇ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସମସ୍ତ ପ୍ରକାର ଚୁକ୍ତି ବାତିଲ ହୋଇଥିଲା। ଏହାପରେ ପାକିସ୍ତାନ ତାର ସମସ୍ତ ଜିନିଷରେ ୨୦୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇଥିଲା। ଗତ ୧୬ ମାସ ମଧ୍ୟରେ ପାକିସ୍ତାନ ଭାରତ ପାଖରୁ ୩. ୬ କୋଟି ଡଲାରର ସାପ କାମୁଡ଼ା ଓ କୁକୁର କାମୁଡ଼ା ଇଂଜେକ୍ସନ ଆମଦାନୀ କରିଛି।