ଭୁବନେଶ୍ୱର(ଓଡିଶା ରିପୋର୍ଟର): ପୁଣି ଥରେ ତାଜା ହେବାକୁ ଯାଉଛି ପୁରାଣ ବର୍ଣ୍ଣିତ ମହାଭାରତର ଚର୍ଚ୍ଚିତ ଯଉଗୃହ ଉପାଖ୍ୟାନ। ପାଣ୍ଡବଙ୍କୁ ପୋଡି ମାରିବା ଲାଗି ମାମୁ ଶକୁନିଙ୍କ କୁମନ୍ତ୍ରଣାରେ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲା ଦୁର୍ଯ୍ୟୋଧନ। ସୌଭାଗ୍ୟକୁ ବର୍ତ୍ତିଗଲେ ପାଣ୍ଡବ ୫ ଭାଇ। ପୁରାଣବର୍ଣ୍ଣିତ ଏହି କଥାକୁ ପ୍ରମାଣିତ କରୁଛି ସେଦିନର ଯଉଘର ଥିବା ସ୍ଥାନ। ଯାହା ରହିଛି ଆଧୁନିକ ତ୍ତରପ୍ରଦେଶ ବାଗପତ୍ ଜିଲ୍ଲାର ବର୍ଣ୍ଣାଓ୍ୱାରେ। ଏଠାରେ ଥିବା ସୁଡ଼ଙ୍ଗର ସମ୍ପର୍କରେ ଅଧିକ ଜାଣିବା ପାଇଁ ଗବେଷଣା କରିବାକୁ ଭାରତୀୟ ପ୍ରତ୍ନତତ୍ୱ ବିଭାଗ(ASI) ଏହାର ଖନନ ପାଇଁ ଚିନ୍ତା କରୁଥିବା ଜଣାପଡିଛି। ବାରମ୍ବାର ଦାବି ପରେ ASI ସୁଡ଼ଙ୍ଗ ଖନନ ଲାଗି ରାଜି ହୋଇଛି।
ବାସ୍ତବରେ ପୂରାଣ ବର୍ଣ୍ଣିତ ଉକ୍ତ ଘଟଣା ସତ କି ନାହିଁ ଓ ସମ୍ପୃକ୍ତ ଘଟଣା ସହ ଏହି ସୁଡ଼ଙ୍ଗର କୌଣସି ତାତ୍ପର୍ଯ୍ୟ ଅଛି କି ନାହିଁ ସେ ନେଇ ପ୍ରମାଣ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଆସନ୍ତାମାସ ପ୍ରଥମ ସପ୍ତାହରୁ ଖନନ ଆରମ୍ଭ ହୋଇ ୩ ମାସ ଯାଏଁ କାମ ଚାଲିବ। ପ୍ରତ୍ନତତ୍ୱ ବିଭାଗର ଛାତ୍ରଛାତ୍ରୀ ଏଥିରେ ସହାୟତା କରିବେ ବୋଲି କୁହାଯାଉଛି।
ସୂଚନଯୋଗ୍ୟ, ପାଣ୍ଡବମାନେ କୌରବଙ୍କଠାରୁ ଯେଉଁ ୫ଟି ଗାଁ ମାଗିଥିଲେ ସେଥିମଧ୍ୟରେ ଥିଲା ବର୍ଣ୍ଣାବ୍ରତ ବା ବାରୁଣାବର୍ତ୍ତ । ଏହି ଶଦ୍ଦରୁ ହିଁ ବର୍ତ୍ତମାନର ବର୍ଣ୍ଣାଓ୍ୱା ଶଦ୍ଦ ସୃଷ୍ଟି ହୋଇଥିବା ଐତିହାସିକ ମତ ଦିଅନ୍ତି । ବର୍ଣ୍ଣାଓ୍ୱା ଅଞ୍ଚଳ ଐତିହାସିକ ସ୍ଥଳ ଚନ୍ଦାୟନ ଓ ସିନାଉଲିର ଖୁବ ନିକଟବର୍ତ୍ତୀ । ୨୦୦୫ରେ ସିନାଉଲିରେ ହୋଇଥିବା ଖନନ ବେଳେ ବହୁସଂଖ୍ୟାରେ କଙ୍କାଳ ଓ ମାଟିପାତ୍ର ମିଳିଥିଲା । ସେହିପରି ୨୦୧୪ରେ ଖନନ ବେଳେ ଚନ୍ଦାୟନ ଗାଁରୁ ତମ୍ବା ମୁକୁଟ ମିଳିଥିଲା । ତେଣୁ ଏଠାରେ ଖନନ ହେଲେ ପୌରାଣିକ କଥାବସ୍ତୁ ଓ ଏହାର ବାସ୍ତବତା ମଧ୍ୟରେ ରହିଥିବା ସମ୍ପର୍କ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।