ନୂଆଦିଲ୍ଲୀ: ପାଠ ପଢ଼ି ଚାକିରି କଲେ ଦିନ ମଜୁରିଆଙ୍କ ତୁଳନାରେ କମ୍ ପରିଶ୍ରମ କରିବାକୁ ପଡ଼ିଥାଏ। ସାଧାରଣତଃ ଏଭଳି ଧାରଣା ଆମ ସମସ୍ତଙ୍କ ମନରେ ରହିଛି। ହେଲେ ଏବେ ଜାତୀୟ ସାମ୍ପଲ ସର୍ଭେ ସଂସ୍ଥା ଏକ ସର୍ବେକ୍ଷଣ କରି ଏହି ପ୍ରସଙ୍ଗରେ ରିପୋର୍ଟ ପ୍ରକାଶ କରିଛି। ଯାହା ପଢ଼ିଲେ ଆପଣ ବି ଚକିତ ହୋଇଯିବେ।
ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଦେଶରେ ବିଭିନ୍ନ ଘରୋଇ ଓ ସରକାରୀ ସଂସ୍ଥାରେ ଚାକିରି କରୁଥିବା ବ୍ୟକ୍ତିଙ୍କ ତୁଳନାରେ କମ୍ ପରିଶ୍ରମ କରୁଛନ୍ତି ଦିନ ମଜୁରିଆ। ଚାକିରିଆ ପ୍ରତି ସପ୍ତାହରେ ୬୦ ଘଣ୍ଟାରୁ ଅଧିକ ପରିଶ୍ରମ କରୁଥିବା ବେଳେ ଦିନ ମଜୁରିଆ ୪୯ ଘଣ୍ଟାରୁ କମ୍ କାମ କରୁଛନ୍ତି। ଆଉ ନିଜେ ବ୍ୟବସାୟ କରୁଥିବା ବ୍ୟକ୍ତି ସପ୍ତାହରେ ପାଖାପାଖି ୫୮ ଘଣ୍ଟା କାମ କରୁଥିବା ଜଣାପଡ଼ିଛି।
ତେବେ ସହର ମାନଙ୍କରେ ପୁରୁଷ ମାନେ ସପ୍ତାହରେ ୬୦ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରୁଥିବା ବେଳେ ମହିଳା ମାନେ ୫୨ ଘଣ୍ଟାରୁ ୫୩ ଘଣ୍ଟା ମଧ୍ୟରେ ପରିଶ୍ରମ କରୁଥିବା ଜଣାପଡ଼ିଛି। ତେବେ ଗାଁ ଗୁଡ଼ିକରେ ପୁରୁଷ ମାନେ ମହିଳାଙ୍କ ତୁଳନାରେ ଅଧିକ ଆଠ ଘଣ୍ଟା ପରିଶ୍ରମ କରୁଥିବା ଜଣାପଡ଼ିଛି।