ନୂଆଦିଲ୍ଲୀ: ଛୋଟ ପରଦାରେ ବାଲ୍ୟ ବିବାହକୁ ନେଇ ଅନେକ ଧାରାବାହିକ ଓ ଚଳଚ୍ଚିତ୍ର ଦେଖିବାକୁ ମିଳିଛି। କିଛିଦିନ ତଳେ ଆରମ୍ଭ ହୋଇଥିବା ଏକ ଧାରାବାହିକ ‘ପହରେଦାର ପିୟା କି’ ବିଷୟବସ୍ତୁକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ଜଣେ ୧୮ ବର୍ଷୀୟା ଯୁବତୀଙ୍କ ସହ ୯ ବର୍ଷୀୟ ବାଳକର ବିବାହ କାହାଣୀକୁ ନେଇ ଧାରାବାହିକ ଗତିଶୀଳ ହୋଇଥିଲା। ସମାଜକୁ ଏହା ଭୁଲ୍ ମେସେଜ୍ ଦେଉଥିବା ଅଭିଯୋଗ କରି, ଏବେ ଲୋକେ ଏହି ଧାରାବାହିକ ବନ୍ଦ କରିବାକୁ ଅନ୍ଲାଇନ୍ରେ ଅପିଲ୍ କରିଛନ୍ତି। ଏହ ସୋ’ କୁ ବ୍ୟାନ୍ କରିବା ପାଇଁ ଅନ୍ଲାଇନ୍ରେ ମାମଲା ଦାୟର କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲା ଉପରେ ୩୫ ହଜାରରୁ ଅଧିକ ଲୋକ ଦସ୍ତଖତ କରି ସାରିଲେଣି।
ଅଭିଯୋଗ ଅଧିକ ଆସିବା ପରେ, ସୋ’ ବିରୋଧରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ ବ୍ରଡ୍କାଷ୍ଟିଂ କଣ୍ଟେଣ୍ଡ କମ୍ପ୍ଲେଣ୍ଟସ କାଉନସିଲ୍ ବା ବିସିସିସିକୁ ଚିଠି ଲେଖିଛନ୍ତି। ଏହି ଧାରାବାହିକରେ ଅଭିନେତା ଓ ଅଭିନେତ୍ରୀଙ୍କ ହନିମୁନ୍ ସିକ୍ୟୁଏନ୍ସକୁ ନେଇ ଦର୍ଶକ କ୍ଷୁବ୍ଧ ହୋଇଛନ୍ତି। ସୋ’ଟିକୁ ବନ୍ଦ କରିବା ପାଇଁ change.org ରେ କ୍ୟାମ୍ପେନ୍ ଆରମ୍ଭ ହୋଇଥିଲା।
ଏହି ସୋ’ର କାହାଣୀ ରାଜସ୍ଥାନର ଏକ ଶାହି ପରିବାର ଉପରେ ପର୍ଯ୍ୟବେଶିତ । ଜଣେ ୯ ବର୍ଷୀୟ ବାଳକ ରତନ (ଉଫାନ୍ ଖାନ୍) ନିଜ ବୟସଠାରୁ ଦୁଇଗୁଣ ଅଧିକ ବୟସର ଯୁବତୀ ପ୍ରିୟାଙ୍କୁ ଭଲ ପାଇ ବସିଛନ୍ତି। ଏହାପରେ ଉଭୟଙ୍କ ବିବାହ ମଧ୍ୟ ହୋଇଛି। ପ୍ରିୟା ଚରିତ୍ରରେ ଅଭିନୟ କରିଛନ୍ତି ତେଜସ୍ୱୀ ପ୍ରକାଶ।