ନୂଆଦିଲ୍ଲୀ: ଡିଜେଲ ଦାମ ରେକର୍ଡ ଭାଙ୍ଗିଛି। ତା ସହିତ ତିନି ବର୍ଷ ମଧ୍ୟରେ ପେଟ୍ରୋଲ ଦାମ ମଧ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଗତକାଲି ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା ୭୧ଟଙ୍କା ୧୮ ପଇସା ହୋଇଥିଲା। ମୁମ୍ବାଇରେ ୭୯ ଟଙ୍କା ୬ ପଇସା, ଚେନ୍ନାଇରେ ୭୩ ଟଙ୍କା ୮୦ ପଇସା ଓ କୋଲକାତାରେ ୭୩ ଟଙ୍କା ୯୧ ପଇସା ହୋଇଥିଲା ସେହିପରି ଡିଜେଲର ଦାମ ଦିଲ୍ଲୀରେ ଲିଟର ପିଛା ୬୧ ଟଙ୍କା ୪୦ ପଇସା, କୋଲକାତାରେ ୬୪ ଟଙ୍କା ୪୦ ପଇସା, ମୁମ୍ବାଇରେ ୬୫ ଟଙ୍କା ୭୪ ପଇସା ଓ ଚେନ୍ନାଇରେ ୬୫ ଟଙ୍କା ୮ ପଇସା ହୋଇଛି ।
ବିଶ୍ୱରେ ଅଶୋଧିତ ତୈଳ ଦାମ ବଢୁଥିବାରୁ ଏହି ଦାମ ବଢିଥିବା କୁହାଯାଉଛି। ଭାରତୀୟ ଅର୍ଥନୀତି ଓ କେନ୍ଦ୍ର ସରକାର ପାଇଁ ଏହା ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ଗତ କିଛି ବର୍ଷ ଧରି ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମ୍ ଥିଲେ ମଧ୍ୟ ପେଟ୍ରୋଲ, ଡିଜେଲ ଦାମ ଆମ ଦେଶରେ ଉଲ୍ଲେଖନୀୟ ଭାବେ କମି ନ ଥିଲା। ଟିକସ ହାର ବଢ଼ାଇ ସରକାର ଦରକୁ ଏକ ପ୍ରକାର ସ୍ଥିର ରଖିଥିଲେ।
ଏବେ ଯେତେବେଳେ ବିଶ୍ୱ ବଜାରରେ ଦାମ ବଢୁଛି, ସରକାର ଅଡୁଆରେ ପଡୁଛନ୍ତି। ପେଟ୍ରୋଲ ଡିଜେଲର ଦାମ ବଢ଼ିଲେ ପରିବହନ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିବ। ମୁଦ୍ରାସ୍ଫୀତି ବଢ଼ିବାର ଆଶଙ୍କା ଅଛି। ରିଜର୍ଭ ବ୍ୟାଙ୍କ ସୁଧ ହାର କମାଇ ସମ୍ଭାବନା କ୍ଷୀଣ ହୋଇଯିବ । ତା ଛଡ଼ା ସାଧାରଣ ଖାଉଟିଙ୍କ ଅସନ୍ତୋଷକୁ ମଧ୍ୟ ପ୍ରଶମିତ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।