ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ନିୟନ୍ତ୍ରଣ ବାହାରେ ତେଲ ଦର। ଗତ ୩ ବର୍ଷରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ଲଗାମଛଡ଼ା ହୋଇଯାଇଛି ତୈଳଦର । ଗତ କିଛି ମାସ ପୂର୍ବେ ତୈଳ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ପରେ ଉଭୟ ପେଟ୍ରୋଲ ଏବଂ ଡିଜେଲର ଦର କମିଥିଲା। ପେଟ୍ରୋଲ ଲିଟର ପ୍ରତି ୨. ୫୦ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୨.୨୫ ଟଙ୍କା କମିଥିଲା । ହେଲେ ଏବେ ଯେଉଁ କଥାକୁ ସେହି କଥା। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୭୦.୧୩ ଟଙ୍କା ରହିଛି। ସେହିପରି ଡିଜେଲ ଲିଟର ପ୍ରତି ୬୬.୩୭ ଟଙ୍କା ରହିଛି। ଦିଲ୍ଲୀରେ ଡିଜେଲ ଦର ୬୨ ଟଙ୍କା ପ୍ରତି ଲିଟର ଥିବା ବେଳେ ପେଟ୍ରୋଲ ଲିଟର ପ୍ରତି ୭୧ ଟଙ୍କା ଛୁଇଁଛି। ଇଣ୍ଡିଆନ ଅଏଲ ମୁତାବକ ଦିଲ୍ଲୀରେ ପେଟ୍ରୋଲ ଲିଟରପ୍ରତି ୭୧.୩୯ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଦର ଲିଟର ପ୍ରତି ୬୨.୦୬ ଟଙ୍କାରେ ପହଞ୍ଚିଛି।
ମୁମ୍ବାଇରେ ପେଟ୍ରୋଲ ଦର ୭୯ ଟଙ୍କା ୬ ପଇସା, ଚେନ୍ନାଇରେ ୭୩ ଟଙ୍କା ୮୦ ପଇସା ଓ କୋଲକାତାରେ ୭୩ ଟଙ୍କା ୯୧ ପଇସା ହୋଇଛି। ମୁଖ୍ୟତଃ ଅନ୍ତର୍ଜାତୀୟସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାରୁ ତେଲ ଦର ଆକାଶ ଛୁଆଁ ହେବାରେ ଲାଗିଛି। ବିଗତ ୩ ବର୍ଷରେ ଅନ୍ତର୍ଜାତୀୟସ୍ତରରେ ଅଶୋଧିତ ତୈଳ ମୂଲ୍ୟର ଅହେତୁକ ବୃଦ୍ଧି ପାଇଛି। ଏବେ ଅନ୍ତର୍ଜାତୀୟସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପ୍ରତି ୬୪ ଡଲାରକୁ ଛୁଇଁଛି। ଯଦି ଏଭଳି ଅବସ୍ଥା ଲାଗି ରୁହେ ତେବେ ପେଟ୍ରୋଲ ଲିଟର ପ୍ରତି ୮୫ଟଙ୍କା ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ଅନ୍ୟପଟେ ମୋଦି ସରକାର ଆସିବା ପରେ ଡିଜେଲ ଉପରେ ଉତ୍ପାଦକ ଶୁଳ୍କ ୩୮୦ ପ୍ରତିଶତ ବୃଦ୍ଧି ପାଇଛି। ଏହାରି ଭିତରେ ଏହି ଟିକସ ଲିଟର ପ୍ରତି ୩.୫୬ ଟଙ୍କାରୁ ବୃଦ୍ଧି ହୋଇ ୧୭.୩୩ ଟଙ୍କାରେ ପହଞ୍ଚିଛି। ସେହିପରି ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୧୨୦ ପ୍ରତିଶତ ବୃଦ୍ଧି ପାଇଛି। ମୋଦି ସରକାର ଅସିବା ପୂର୍ବରୁ ପେଟ୍ରୋଲ ଲିଟର ପ୍ରତି ଉତ୍ପାଦ ଶୁଳ୍କ ୯.୪୮ ଟଙ୍କା ଥିବା ବେଳେ ଗତ ୩ ବର୍ଷରେ ବୃଦ୍ଧି ପାଇ ୨୧. ୪୮ ଟଙ୍କା ହୋଇଛି। ସେପଟେ ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟିରେ ଅନ୍ତର୍ଭୁକ୍ତ ନେଇ କେନ୍ଦ୍ର ପେଟ୍ରୋଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଯଦି ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟିରେ ସାମିଲ କରାଯାଏ ତେବେ ତେଲ ଦର କମିବାର ସମ୍ଭାବନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।