ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କିନ୍ତୁ ସରକାର ପେଟ୍ରୋଲିୟମ୍ ସାମଗ୍ରୀଗୁଡ଼ିକର ଦରକୁ ସାରା ଦେଶରେ ସମାନ ରଖିବା ପାଇଁ ବଡ଼ ପଦକ୍ଷେପ ଉଠାଇଛନ୍ତି। ରାଜ୍ୟ ନାଚୁରାଲ ଗ୍ୟାସ୍ ଟିକସ ରେଟ୍ ୫ ପ୍ରତିଶତ ପର୍ଯ୍ୟନ୍ତ ରଖିବା ସହ ମାନ୍ୟୁଫେକ୍ଚରିଂ ସେକ୍ଟରରେ ଇନ୍ପୁଟ୍ ଭାବେ ବ୍ୟବହୃତ ହେଉଥିବା ପେଟ୍ରୋଲ ଓ ଡିଜେଲ ଭଳି ଅନ୍ୟ ଇନ୍ଧନ ଉପରୁ ଭାଟ୍ ହଟାଇବା ପାଇଁ ସରକାର ରାଜି ହୋଇଯାଇଛନ୍ତି। ରାଜ୍ୟଗୁଡ଼ିକରେ ଏହାର ରୂପରେଖ ପ୍ରସ୍ତୁତ ହେବା ପରେ ଜିଏସଟି ପରିଷଦ ଏହି ସ୍କିମ୍ ଉପରେ ବିଚାର କରିବ।
ଜଣେ ବରିଷ୍ଠ ଅଧିକାରୀ ଏକ ଇଂରାଜୀ ଖବରକାଗଜକୁ କହିଛନ୍ତି,“ପରିଷଦ ଏହି ପ୍ରସ୍ତାବ ଉପରେ ଶେଷ ନିଷ୍ପତ୍ତି ନେବ। ଏନେଇ ଆନୁଷ୍ଠାନିକ ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହା ଦ୍ୱାରା ପେଟ୍ରୋଲ ଓ ଡିଜେଲ ଦର କମିବ। ବିଶେଷ କରି ସେହି ରାଜ୍ୟ ଗୁଡ଼ିକରେ ଏହାର ଦର କମିବ, ଯେଉଁଠାରୁ ଅଧିକ ଟିକସ ଆଦାୟ କରାଯାଉଛି।”
ଜିଏସ୍ଟି ପରିଷଦରେ ପୂର୍ବରୁ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ଓ ନିଷ୍ପତ୍ତି ହୋଇଥିଲା ଯେ ରାଜ୍ୟ ଗୁଡ଼ିକ ପ୍ରଥମେ ଏନେଇ ଏକ ସ୍କିମ୍ ପ୍ରସ୍ତୁତ କରିବେ। ଅନ୍ୟ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ମାମଲା ଏବେ ରାଜ୍ୟଗୁଡ଼ିକ ହାତରେ। ସେମାନେ ସ୍କିମ୍ ପ୍ରସ୍ତୁତ କରି ପରିଷଦ ସମ୍ମୁଖରେ ରଖିବେ। କେନ୍ଦ୍ର ସରକାର ପେଟ୍ରୋଲିୟମ୍ ସାମଗ୍ରୀଗୁଡ଼ିକୁ ଜିଏସ୍ଟି ପରିସରଭୁକ୍ତ କରିବାକୁ ଚାହୁଁଥିଲେ। କିନ୍ତୁ ଏହି କ୍ଷେତ୍ରରୁ ରାଜସ୍ୱର ବଡ଼ ଭାଗ ପାଉଥିବା ରାଜ୍ୟଗୁଡ଼ିକ ଏହାକୁ ସମର୍ଥନ କରି ନଥିଲେ। ଯଦି ରାଜ୍ୟଗୁଡ଼ିକ ଏହି ପ୍ରସ୍ତାବ ଉପରେ ମୋହର ମାରିବେ ତାହାଲେ ପେଟ୍ରୋଲିମ୍ ସାମଗ୍ରୀଗୁଡ଼ିକ ଉପରେ ସମାନ ଟିକସ ଦର ଧାର୍ଯ୍ୟ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ହୋଇପାରିବ।
କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ୍ ସାମଗ୍ରୀଗୁଡ଼ିକୁ ଜିଏସ୍ଟି ପରିସରଭୁକ୍ତ କରିବା ପାଇଁ ଗତ ବୁଧବାର ଯୁକ୍ତି ବାଢ଼ିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।