ଲାସ୍ ଭେଗାସ୍:୨୦୧୫ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ଫିଲିପାଇନ୍ସର ପିଆ ଆଲୋଞ୍ଜୋ। ମିସ୍ କୋଲୋମ୍ବିଆ ଆରିଆଡନା ଗିଟରେଜ୍ ଆରଭାଲୋ ଫାଷ୍ଟ୍ ରନର-ଅପ୍ ଓ ମିସ୍ ୟୁଏସଏ ଓଲିଭିଆ ଜୋରଡାନ୍ ସେକେଣ୍ଡ ରନର-ଅପ୍ ହୋଇଛନ୍ତି।
ମିସ୍ ୟୁନିଭର୍ସ ବିଜୟୀଙ୍କ ନାଁ ଘୋଷଣା ବେଳେ ଏକ ଭୁଲ୍ ହୋଇଥିଲା। ଉଦଘୋଷକ ଷ୍ଟିଭ୍ ହାରଭେ ମିସ୍ ଆଲଞ୍ଜୋଙ୍କ ବଦଳରେ ମିସ୍ କୋଲୋମ୍ବିଆ ଆରଭାଲୋଙ୍କୁ ବିଜୟିନୀ ବୋଲି ଘୋଷଣା କରି ଦେଇଥିଲେ। ବିଜୟିନୀ ଘୋଷଣା ହେବା ପରେ ଖୁସିରେ ଆତ୍ମହରା ଆରଭାଲୋ ହାତ ହଲାଇବା ସହିତ ବିଜୟିନୀଙ୍କ ପାଇଁ ଉଦ୍ଦିଷ୍ଟ ଫୁଲତୋଡ଼ା ଗ୍ରହଣ କରିଥିଲେ ଓ ପରେ ମୁକୁଟ ବି ପିନ୍ଧିଥିଲେ। କିନ୍ତୁ ଏହା ପରେ ଉଦଘୋଷକ ଘୋଷଣା କଲେ ଯେ ଭୁଲ୍ ହୋଇଯାଇଛି। ମିସ୍ ୟୁନିଭର୍ସ ବିଜୟୀ ହୋଇଛନ୍ତି ମିସ୍ ଫିଲିପାଇନ୍ସ ପିଆ ଆଲୋଞ୍ଜୋ। ଆରଭାଲୋ ପାଷ୍ଟ୍ ରନର-ଅପ୍ ହୋଇଛନ୍ତି। ଏହା ପରେ ଜଣେ ପୂର୍ବତନ ମିସ୍ ୟୁନିଭର୍ସ ଆରଭାଲୋଙ୍କ ମୁଣ୍ଡରୁ ମୁକୁଟ କାଢ଼ି ଆଣିଥିଲେ। ତା’ପରେ ୨୦୧୪ର ମିସ୍ ୟୁନିଭର୍ସ ବିଜେତା ପାଉଲିନା ଭେଗା ମିସ୍ ଫିଲିପାଇନ୍ସଙ୍କୁ ପିନ୍ଧାଇଥିଲେ ମିସ୍ ୟୁନିଭର୍ସ ମୁକୁଟ।
ଅନ୍ୟପକ୍ଷରେ ଉଦଘୋଷକ ଘୋଷଣା କରିଥିଲେ ଯେ ହୋଇଥିବା ଭୁଲ୍ ପାଇଁ ସେ ଦାୟୀ। ଏହା କହିବା ସହ ଫଳାଫଳ ଲେଖାଯାଇଥିବା କାର୍ଡଟିକୁ ସମସ୍ତଙ୍କୁ ଦେଖାଇ ଥିଲେ।
ପରେ ଏକ ସାମ୍ବାଦିକ ସମ୍ମିଳନୀରେ ୨୦୧୫ ମିସ୍ ୟୁନିଭର୍ସ ପିଆ ଆଲୋଞ୍ଜୋ କହିଥିଲେ ଯେ ସେ ଆରଭାଲୋଙ୍କଠାରୁ ମିସ୍ ୟୁନିଭର୍ସ ମୁକୁଟ ଛଡ଼ାଇ ନେଇ ନାହାନ୍ତି। ଯାହା ଘଟିଗଲା ତାହା ଦୁର୍ଭାଗ୍ୟଜନକ। ସେଥିରେ କୌଣସି ଉଦ୍ଦେଶ୍ୟ ନିହିତ ନଥିଲା। ତେବେ ଆରଭାଲୋଙ୍କ ପାଇଁ ତାଙ୍କୁ ଦୁଃଖ ଲାଗିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।