ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସ୍ଥିତ ରାମମନୋହର ଲୋହିଆ ଡାକ୍ତରଖାନାରେ ଘଟିଛି ଏକ ଅଜବ ଘଟଣା। ଡାକ୍ତରଖାନାର ଏମ୍ଆର୍ଆଇ ମେସିନ୍ରେ ଏକ ପିସ୍ତଲ ପଶି ଯାଇଛି। ଆଉ ଏହି ଘଟଣା ପାଇଁ ଜଣେ ପୋଲିସ୍ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି। ତା’ହେଲେ ଏମ୍ଆର୍ଆଇ ମେସିନ୍ ଭିତରକୁ ପିସ୍ତଲ ଗଲା କେମିତି? ଘଟଣାଟି ଘଟିଛି ଏହିପରି।
ଶୁକ୍ରବାର ଅପରାହ୍ନରେ ଉତ୍ତର ପ୍ରଦେଶର ମନ୍ତ୍ରୀ ସତ୍ୟଦେବ ପଚୌରୀ ନିଜର ଏମ୍ଆର୍ଆଇ କରିବା ପାଇଁ ଡାକ୍ତରଖାନାକୁ ଆସିଥିଲେ। ତାଙ୍କ ସହିତ ତାଙ୍କର ବନ୍ଧୁକଧାରୀ ସୁରକ୍ଷାକର୍ମୀ ମୁକେଶ ଚନ୍ଦ୍ର ଶର୍ମା ବି ଆସିଥିଲେ। ସୁରକ୍ଷାକର୍ମୀ ଜଣଙ୍କ ମଧ୍ୟ ମନ୍ତ୍ରୀଙ୍କ ସହିତ ଏମ୍ଆରଆଇ ରୁମ୍କୁ ପଶିଲେ। ସୁରକ୍ଷାକର୍ମୀଙ୍କ ପାଖରେ ପିସ୍ତଲ ଥିଲା। ହଠାତ୍ ଏମ୍ଆର୍ଆଇ ମେସିନ୍ ପିସ୍ତଲଟିକୁ ଟାଣି ନେଲା। କେହି କିଛି ବୁଝିବା ଆଗରୁ ଏମ୍ଆର୍ଆଇ ମେସିନ୍ ଭିତରେ ପିସ୍ତଲ ପଶିଗଲା ଓ ବଡ଼ ଶବ୍ଦ ହେବା ପରେ ତାହା ଅଚଳ ହୋଇଗଲା। ଏବେ ଏହାକୁ ଠିକ୍ କରିବା ପାଇଁ ୧୦ ଦିନ ଲାଗିବ।
ଡାକ୍ତରଖାନାର ନିର୍ଦ୍ଦେଶ ଡାକ୍ତର ଦୀପକ ମାଲବିୟ କହିଛନ୍ତି, ଏମ୍ଆର୍ଆଇ ମେସିନ୍ରେ ଉଚ୍ଚ ଚୁମ୍ବକୀୟ ଶକ୍ତି ଥାଏ। ତେଣୁ ଏହାର କ୍ଷମତା ପରିସରକୁ ଆସୁଥିବା ସମସ୍ତ ଲୁହା ଜିନିଷକୁ ଏହା ଟାଣି ନିଏ। ତେଣୁ ଏମ୍ଆର୍ଆଇ ରୁମ୍ ବାହାରେ ସ୍ପଷ୍ଟ ଭାବେ ଲେଖାଯାଏ ଯେ ଭିତରକୁ କୌଣସି ପ୍ରକାର ଲୁହା ସାମଗ୍ରୀ ନେଇ ଯାଇପାରିବେ ନାହିଁ। ଏମିତିକ ଏହା ଭିତରକୁ ହାତ ଘଣ୍ଟା ଓ କୌଣସି ପ୍ରକାର ଆଭୂଷଣ ପିନ୍ଧି ଯିବାକୁ ବି ମନା।
ଏମ୍ଆର୍ଆଇ ରୁମ୍ରେ ନିଯୁକ୍ତ ଟେକ୍ନିସିଆନ୍ ଧ୍ୟାନ ନ ଦେବାରୁ ପୋଲିସ୍ କର୍ମଚାରୀ ଜଣଙ୍କ ପିସ୍ତଲ ଧରି ତା’ ଭିତରେ ପଶିଗଲେ। ଏମ୍ଆର୍ଆଇ ମେସିନ୍ର ରେଞ୍ଜ ମଧ୍ୟରେ ଆସିବା ମାତ୍ରେ ତାହା ପୋଲିସ୍ କର୍ମଚାରୀଙ୍କ ନିକଟରୁ ପିସ୍ତଲଟିକୁ ଟାଣି ନେଲା।
ଏ ପ୍ରକାର ଅବହେଳା ପାଇଁ ମନ୍ତ୍ରୀଙ୍କ ସୁରକ୍ଷାକର୍ମୀଙ୍କୁ ନିଲମ୍ବନ କରାଯାଇଛି।
ରିପୋର୍ଟ ଓ ଫଟୋ- ନ୍ୟୁଜ୍ ୧୮
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।