ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫ୍ରିକା ଗସ୍ତ ଅବସରରେ ରୁଆଣ୍ଡାର ରେୱରୁ ଆଦର୍ଶ ଗ୍ରାମରେ ସେଠାକାର ଗ୍ରାମବାସୀମାନଙ୍କୁ ୨୦୦ ଭାରତୀୟ ଗାଈ ଉପହାର ଦେଇଛନ୍ତି। ରୁଆଣ୍ଡା ସରକାରଙ୍କ ଗିରିଙ୍କା କାର୍ଯ୍ୟକ୍ରମ ଅଧୀନରେ ଗ୍ରାମବାସୀମାନଙ୍କୁ ଏହି ଗାଈ ଭାରତ ପକ୍ଷରୁ ପ୍ରଦାନ କରାଯାଇଛି। ଏଥିଲାଗି ରେୱରୁ ଗ୍ରାମରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସେଠାକାର ରାଷ୍ଟ୍ରପତି ପଲ କାଗାମେ ଯୋଗ ଦେଇଥିଲେ।
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଗିରିଙ୍କା କାର୍ଯ୍ୟକ୍ରମ ଲାଗି ରାଷ୍ଟ୍ରପତି ପଲ କାଗାମେଙ୍କ ପ୍ରୟାସକୁ ଉଚ୍ଚପ୍ରଶଂସା କରିଥିଲେ। ଭାରତୀୟମାନେ ମଧ୍ୟ ରୁଆଣ୍ଡା ଜନସାଧାରଣଙ୍କ ଗୋ-ଧନ ପ୍ରତି ସ୍ନେହ ଓ ମମତା ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ଏହି ଆଫ୍ରିକୀୟ ଦେଶରେ ଗୋ-ଧନକୁ ଗ୍ରାମୀଣ ଆର୍ଥିକ ସଶକ୍ତିକରଣର ଏକ ପ୍ରମୁଖ ମାଧ୍ୟମ ଭାବେ ଗ୍ରହଣ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ବେଶ ଆନନ୍ଦ ପ୍ରକାଶ କରିଥିଲେ।
ଭୟ ଦେଶର ଗ୍ରାମ୍ୟ ଜୀବନରେ ଗୋସମ୍ପଦ ପ୍ରତି ସ୍ନେହ ଏବଂ ଅନେକ କ୍ଷେତ୍ରରେ ସାମଞ୍ଜସ୍ୟ ନେଇ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ। ଗିରିଙ୍କା କାର୍ଯ୍ୟକ୍ରମ ରୁଆଣ୍ଡାର ଗ୍ରାମ୍ୟ ଜୀବନକୁ ପରିବର୍ତନ କରିବା ଦିଗରେ ବେଶ ସହାୟକ ହେବ ବୋଲି ସେ କହିଥିଲେ। ଗିରିଙ୍କା ଶବ୍ଦର ଆଫ୍ରିକୀୟ ଅର୍ଥ ହେଉଛି “ଆପଣ ଏକ ଗାଈ ରଖିପାରିବେ କି”। ରୁଆଣ୍ଡା ସଂସ୍କୃତିରେ ଜଣେ ଗ୍ରାମବାସୀ ଅନ୍ୟ ଜଣଙ୍କୁ ଶ୍ରଦ୍ଧା ଓ ସମ୍ମାନର ପ୍ରତୀକ ସ୍ୱରୂପ ଗୋଦାନ କରିଥାନ୍ତି।
ଏହି ଆଫ୍ରିକୀୟ ଦେଶର ପିଲାମାନଙ୍କଠାରେ ପୁଷ୍ଟିହୀନତା ହାର ପ୍ରବଳ ହେବାପରେ ରାଷ୍ଟ୍ରପତି ପଲ କଗାମେ ଗିରିଙ୍କା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପରିବାରକୁ ଗୋଟିଏ ଲେଖାଏଁ ଦୁଧିଆଳୀ ଗାଈ ପ୍ରଦାନ ଲାଗି ପ୍ରୟାସ କରାଯାଉଛି। କେବଳ ସେତିକି ନୁହେଁ ସମନ୍ୱିତ ପ୍ରାଣୀଧନ ଓ ବହୁମୁଖୀ ଫସଲ କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳ ଦାରିଦ୍ର୍ୟ ହ୍ରାସ କରିବା ଲାଗି ଉଦ୍ୟମ କରାଯାଉଛି। ଗରିବ ପରିବାରମାନେ ଦୁଧିଆଳୀ ଗାଈକୁ ଲାଳନ ପାଳନ କରି କ୍ଷୀର, ଦହି, ଘିଅ, ଛେନା ଆଦି ସୁମିଷ୍ଟ ଓ ପୌଷ୍ଟିକ ଖାଦ୍ୟ ଜରିଆରେ ନିଜ ନିଜ ପିଲାମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରୁଛନ୍ତି । ଗାଈର ଗୋବରକୁ ଜୈବିକ ସାର ରୂପେ ମଧ୍ୟ ବ୍ୟାପକ ଭାବେ ଉପଯୋଗ କରାଯାଉଛି।
[caption id="attachment_256153" align="aligncenter" width="948"] ୨୦୦୬ ମସିହାରେ ଗିରିଙ୍କା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ସେହିଦିନଠାରୁ ଜୁନ୍ ୨୦୧୬ ପର୍ଯ୍ୟନ୍ତ ଗରିବ ପରିବାରମାନଙ୍କୁ ୨,୪୮,୫୬୬ଟି ଦୁଧିଆଳୀ ଗାଈ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ରୁଆଣ୍ଡାରେ ଦୁଗ୍ଧ ଓ ଦୁଗ୍ଧଜାତ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବୃଦ୍ଧି ପାଉଛି।[/caption]
ଗିରିଙ୍କା କାର୍ଯ୍ୟକ୍ରମର ପ୍ରସାର ଦ୍ୱାରା ଗୋଧନ ସଂଖ୍ୟା ବୃଦ୍ଧି ପାଇବା ସହ ସେଠାକାର ଲୋକମାନଙ୍କ ମଧ୍ୟରେ ସ୍ନେହ ସୌହାଦ୍ଦ୍ୟ ମଧ୍ୟ ବଢ଼ୁଛି। ଗିରିଙ୍କା କାର୍ଯ୍ୟକ୍ରମର ମାର୍ଗଦର୍ଶିକା ଅନୁଯାୟୀ କେବଳ ଗରିବ ଓ ସାମାନ୍ୟ ଜମି ରଖିଥିବା ପରିବାରକୁ ଗୋଦାନ କରାଯାଇଥାଏ। ଏହା ଫଳରେ ସମ୍ପୃକ୍ତ ହିତାଧିକାରୀ ପରିବାର ନିଜର ଜମିରେ ଗାଈ ଚରାଇପାରିବେ ଏବଂ ଗୋବର ମଧ୍ୟ ବ୍ୟବହାର କରିପାରିବେ। ଏହାଛଡା ଗାଈକୁ ରଖିବା ଲାଗି ଗୁହାଳ ମଧ୍ୟ ହିତାଧିକାରୀଙ୍କ ପାଖରେ ଥିବା ଆବଶ୍ୟକ। ତାହେଲେ ଯାଇ ସେମାନଙ୍କୁ ଗାଈ ବଣ୍ଟନ କରାଯାଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।