ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ କରୋନା ଭାଇରସ୍ ମାମଲା ସାମ୍ନାକୁ ଆସୁଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ କରିବେ। କରୋନା ସଂକ୍ରମଣ ବ୍ୟାପୁଥିବାର ଦେଖି ପ୍ରଧାନମନ୍ତ୍ରୀ ମୋଦି ଲଗାତର ଦୁଇ ଦିନ ଧରି ଅଲଗା ଅଲଗା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବା।
ପ୍ରଧାନମନ୍ତ୍ରୀଙ୍କର ଏହି ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହେବ, ଯାହା ଜୁନ୍ ୧୬ ଓ ୧୭ ତାରିଖରେ ହେବ। ଏହି ବୈଠକରେ ଦେଶରେ ବଢ଼ୁଥିବା କରୋନା ମାମଲା ଏବଂ ଜୁନ୍-୮ ତାରିଖରୁ ଲାଗୁ ହୋଇଥିବା ଅନଲକ୍-୧ର ସମୀକ୍ଷା ମଧ୍ୟ କରାଯିବ। ମୁଖ୍ୟମନ୍ତ୍ରୀ ମାନଙ୍କଠାରୁ ପରାମର୍ଶ ନେବା ପରେ କେନ୍ଦ୍ର ସରକାର କରୋନାକୁ ରୋକିବା ପାଇଁ କିଛି ବଡ଼ ପଦକ୍ଷେପ ନେଇପାରନ୍ତି।
PM @narendramodi will interact with state Chief Ministers on the 16th and 17th. pic.twitter.com/RWGeanxgHd
— PMO India (@PMOIndia) June 12, 2020
ଦୁଇଦିନ ଧରି ପିଏମ୍ ମୋଦି ଅପରାହ୍ଣ ୩ଟା ବେଳେ ରାଜ୍ୟ ସହ ବୈଠକ କରିବେ। ଯେଉଁ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ କରୋନାର ପ୍ରଭାବ କମ୍ ଅଛି, ସେହି ରାଜ୍ୟଗୁଡ଼ିକ ସହ ପ୍ରଧାନମନ୍ତ୍ରୀ ମୋଦି ଜୁନ୍ ୧୬ ତାରିଖରେ ଭିଡିଓ କନଫରେନ୍ସ କରିବେ। ଏହି ରାଜ୍ୟ ଗୁଡ଼ିକ ମଧ୍ୟରେ ପଞ୍ଜାବ, ଆସାମ, କେରଳ, ଉତ୍ତରାଖଣ୍ଡ ଓ ଝାଡ଼ଖଣ୍ଡ ଭଳି ରାଜ୍ୟ ସାମିଲ୍ ଅଛନ୍ତି।
ସେହିପରି ଯେଉଁ ରାଜ୍ୟରେ କରୋନା ସଂକ୍ରମଣର ଅଧିକ ମାମଲା ସାମ୍ନାକୁ ଆସିଛି, ସେହି ରାଜ୍ୟଗୁଡ଼ିକ ସହ ପ୍ରଧାନମନ୍ତ୍ରୀ ୧୭ ତାରିଖରେ ବୈଠକ କରିବେ। ଏହି ରାଜ୍ୟ ଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ ଓ ଓଡ଼ିଶା ଆଦି ସାମିଲ୍ ଅଛି। ଫଳରେ ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବୈଠକ ହେବ।
ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ଥର ଭିଡିଓ କନଫରେନ୍ସିଂ କରିସାରିଛନ୍ତି। ପୂର୍ବରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କର ଆଲୋଚନା ପରେ ଲକଡାଡନକୁ ବଢ଼ାଇବା, କିଛି ଆର୍ଥିକ ଗତିବିଧିକୁ ଖୋଲିବା ଭଳି ନିଷ୍ପତ୍ତି ନିଆଯାଇଥିଲା।