ନୂଆଦିଲ୍ଲୀ: ବସ୍ତୁ ଏବଂ ସେବା କର (ଜିଏସ୍ଟି) ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଗତକାଲି ମଧ୍ୟରାତିରେ ଉଦ୍ଘାଟନ ହୋଇଯାଇଛି। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଶୁଭାରମ୍ଭ କରିଥିଲେ।
ଉଦ୍ଘାଟନ ପୂର୍ବରୁ ଉଦ୍ବୋଧନ ଦେଇ ମୋଦି କହିଥିଲେ,“ଆମେ କୌଣସି ନୂଆ ମୋଡ଼କୁ ଗଲେ ନୂଆ ଲକ୍ଷ୍ୟରେ ପହଞ୍ଚିବାକୁ ଚେଷ୍ଟା କରିଥାନ୍ତି। ଆଜି ଏହି ମଧ୍ୟରାତିରେ ଆମେ ସମସ୍ତେ ମିଶି ଦେଶର ଆଗାମୀ ରାସ୍ତା ସୁନିଶ୍ଚିତ କରିବାକୁ ଯାଉଛନ୍ତି। ଦେଢଶହ କୋଟି ଦେଶବାସୀ ଏହାର ସାକ୍ଷୀ ରହିବେ। ଜିଏସ୍ଟିର ଏହି ପ୍ରକ୍ରିୟା କେବଳ ଅର୍ଥ ବ୍ୟବସ୍ଥାରେ ସୀମିତ ନାହିଁ। ଆମେ ଯେଉଁ ରାସ୍ତା ବାଛିଛନ୍ତି ଏହା କୌଣସି ଗୋଟିଏ ଦଳ କିମ୍ବା ସରକାରର ସଫଳତା ନୁହେଁ। ଏହା ଆମ ସମସ୍ତଙ୍କ ମିଳିତ ଉଦ୍ୟମର ଫଳ। ଏହା ଏକ ଲମ୍ବା ବିଚାର ପ୍ରକ୍ରିୟା। ଜିଏସ୍ଟି ଟିମ୍ ଇଣ୍ଡିଆର ସାମର୍ଥର ପରିଚୟ। ମୁଁ ଜିଏସ୍ଟି କାଉନସିଲକୁ ଧନ୍ୟବାଦ ଜଣାଉଛି। ଏହି ପ୍ରକ୍ରିୟାକୁ ଯେଉଁମାନେ ଆଗକୁ ବଢାଇଛନ୍ତି ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି।”
ସେ କହିଥିଲେ,“ଏହା ଏକ ସଂଯୋଗ କହିଲେ ଭୁଲ ହେବ ନାହିଁ। ଗୀତାରେ ୧୮ଟି ଅଧ୍ୟାୟ ଅଛି ଓ ଜିଏସ୍ଟି କାଉନସିଲର ୧୮ଟି ବୈଠକ ହୋଇଥିଲା।”
ସେ ଆହୁରି କହିଥିଲେ,“ଜିଏସ୍ଟି ଏପରି ଏକ ବ୍ୟବସ୍ଥା ଯେଉଁଥିରୁ ୫୦୦ ପ୍ରକାରର ଟ୍ୟାକ୍ସରୁ ମୁକ୍ତି ମିଳିବ, ଏହା ସ୍ୱଚ୍ଛତା ଆଣିବ। ଜିଏସ୍ଟିକୁ ନେଇ ଆତଙ୍କିତ ହେବାର କିଛି ନାହିଁ। ଦେଶର ସବୁ ରାଜ୍ୟକୁ ବିକାଶ ପାଇଁ ସମାନ ଅଧିକାର ମିଳିବା ସବୁଠାରୁ ବଡ କଥା। ରେଲୱେକୁ କେନ୍ଦ୍ର ଓ ରାଜ୍ୟ ମିଶି ଚଳାଉଛନ୍ତି। ଜିଏସ୍ଟି ସେହିପରି ଏକ ବ୍ୟବସ୍ଥା ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ମିଶି କାମ କରିବେ। ନୂଆ ଭାରତର ସ୍ୱପ୍ନ ପୂରଣ କରିବାରେ ଜିଏସ୍ଟି ସହାୟକ ହେବ। ଜିଏସ୍ଟି କେବଳ ଟ୍ୟାକ୍ସ ରିଫର୍ମ ନୁହେଁ ଏହା ଆର୍ଥିକ ଓ ସାମାଜିକ ସୁଧାରରେ ସହାୟକ ହେବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।