ଜୟପୁର: ପୁଲିସ୍ ଏସ୍କର୍ଟ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ଗତକାଲି ରାଜସ୍ଥାନର ଜୟପୁରର ବଗୁରା ଥାନାରେ ଧାରଣାରେ ବସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି। ତେବେ ବୁଝାସୁଝା କରିବା ପରେ ସେ ଧାରଣାରୁ ହଟି ଜୟପୁର ଅଭିମୁଖେ ଆସିଥିଲେ।
ସୂଚନା ଅନୁଯାୟୀ, ଗତକାଲି ପ୍ରହ୍ଲାଦ ମୋଦି ଜୟପୁର ଗସ୍ତରେ ଆସିଥିଲେ। ସେ ଆଜ୍ମେର-ଜୟପୁର ହାଇୱେର ବଗୁରାରେ ପହଞ୍ଚିବା ପରେ ନିୟମ ଅନୁଯାୟୀ ତାଙ୍କୁ ଦୁଇ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଯୋଗାଇ ଦିଆଯାଇଥିଲା। ତେବେ ପ୍ରହ୍ଲାଦ ମୋଦି ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ବଦଳରେ ପୁଲିସ ଏସକର୍ଟ ମାଗିଥିଲେ। ଫଳରେ ସମସ୍ୟା ସୃଷ୍ଟି ହୋଇଥିଲା।
ଜୟପୁର ପୁଲିସ କମିଶନର ଆନନ୍ଦ ଶ୍ରୀବାସ୍ତବ କହିଛନ୍ତି ଯେ, ପ୍ରହ୍ଲାଦ ମୋଦି ଜୟପୁର ଆସୁଥିଲେ। ନିୟମ ଦୃଷ୍ଟିରୁ ତାଙ୍କୁ ଦୁଇ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ) ଦିଆଯିବା ଲାଗି ନିର୍ଦ୍ଦେଶ ରହିଥିଲା। ହେଲେ ସେ ଏହି ଦୁଇ ସୁରକ୍ଷା କର୍ମୀଙ୍କୁ ତାଙ୍କ କାରରେ ନେବେ ନାହିଁ ବୋଲି କହିବା ସହିତ ପୁଲିସ ଏସକର୍ଟ ଦାବି କରିଥିଲେ। ହେଲେ ସୁରକ୍ଷା ଅଧିକାରୀ ତାଙ୍କ ସହିତ ଯିବାର ନିୟମ ରହିଥିବାରୁ ଅନ୍ୟ ଏକ ଗାଡ଼ି ଯୋଗାଇ ଦେବା ସମ୍ଭବ ନୁହେଁ ବୋଲି ତାଙ୍କୁ ବୁଝା ଯାଇଥିଲା। ବୁଝାସୁଝା କରିବା ପରେ ସେ ଧାରଣାରୁ ଓହରି ଦୁଇ ପିଏସଓଙ୍କ ସହିତ ଜୟପୁର ଆସିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।