ଇନ୍ଦୋର: ବହୁ ଚର୍ଚ୍ଚିତ ମଧ୍ୟପ୍ରଦେଶ ହନି ଟ୍ରାପ ମାମଲାର ଅଭିଯୁକ୍ତ ଦୀର୍ଘ ୭ ମାସ ପରେ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜିତୁ ସୋନି ମଧ୍ୟପ୍ରଦେଶର ଆଞ୍ଚଳିକ ଖବର କାଗଜ 'ସଞ୍ଝା ଲୋକସ୍ୱାମୀ' ଖବର କାଗଜର ମାଲିକ। ରବିବାର ମଧ୍ୟପ୍ରଦେଶ କ୍ରାଇମ ବ୍ରାଞ୍ଚ ଗୁଜରାଟରୁ ଗିରଫ କରିଛି ଜିତୁଙ୍କୁ। ଜିତୁ ସୋନିଙ୍କ ବିରୋଧରେ ପୁଲିସ ମାନବ ଚାଲାଣ, ଦୁଷ୍କର୍ମ ଏବଂ ଅପହରଣ ଭଳି ଅନେକ ମାମଲା ଦାୟର କରିଛି।
ଇନ୍ଦୋର ଡେପୁଟି ଇନ୍ସପେକ୍ଟର ଜେନେରାଲ ହରିନାରାୟଣ ଚାରି ମିଶ୍ର ରବିବାର କହିଛନ୍ତି, ଇନ୍ଦୋର ପୁଲିସ ଜିତୁ ସୋନିଙ୍କୁ ଗୁଜରାଟରୁ ଗିରଫ କରିଛି। ପୁଲିସ ତାଙ୍କୁ ଇନ୍ଦୋରକୁ ଆଣିଛି। ସେ ଦୀର୍ଘ ସମୟ ଧରି ଫେରାର ଥିଲେ। ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ୪୫ରୁ ଅଧିକ ମାମଲା ରହିଛି। ଏଥିସହିତ ତାଙ୍କ ନାମରେ ଏକ ଲକ୍ଷ ୬୦ ହଜାରରୁ ଅଧିକ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଥିଲା।
ଡିସେମ୍ୱର ୨୦୧୯ରେ ଜିତୁ ୬୭ ମହିଳାଙ୍କୁ ନିଜ ହୋଟେଲରେ ବନ୍ଧକ ରଖିଥିଲେ। ତେବେ ପୁଲିସ ରେଡ୍ କରିବା ପରେ ସମସ୍ତ ମହିଳା ଛାଡ଼ ପାଇଥିଲେ। ଏହାପରେ ଜିତୁଙ୍କ ବିରୋଧରେ ମାନବ ଚାଲାଣ ଏବଂ ଦୁଷ୍କର୍ମ ଅଭିଯୋଗ ଲଗାଇଥିଲା ପୁଲିସ। ମୁମ୍ୱାଇର ଜଣେ ମହିଳା ଗଣ ଦୁଷ୍କର୍ମର ଶିକାର ହେବା, ଅନେକ ମହିଳାଙ୍କୁ ଏସକୋର୍ଟ ଭାବରେ ବ୍ୟବହାର କରିବା ଏବଂ ବିଭିନ୍ନ ବେଆଇନ କାମରେ ଜିତୁ ମହିଳାଙ୍କୁ ଲଗାଇଥିବାର ପ୍ରମାଣ ପୁଲିସ ପାଇଛି।
ସୂଚନାଯୋଗ୍ୟ, ଜିତୁ ସୋନି ଉଭୟ ବିଜେପି ଏବଂ କଂଗ୍ରେସ ଦଳର ଅନେକ ବଡ଼ ବଡ଼ ନେତାଙ୍କର ନିକଟତମ ବ୍ୟକ୍ତି। ଅନେକ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କ ସହିତ ଲିଙ୍କ୍ ରହିଥିବାର ପ୍ରମାଣ ରହିଛି। ଏବେ ଜିତୁଙ୍କୁ ଜେରା କରିବା ପରେ ଅନେକ ବଡ଼ ବଡ଼ ନେତା ଏବଂ ବାବୁମାନଙ୍କର ଏହି ହନିଟ୍ରାପ ମାମଲାର ସଂପୃକ୍ତି ଥିବାର ପ୍ରମାଣ ପଦାକୁ ଆସିବ ବୋଲି ଆଶା ରହିଛି।
ହନିଟ୍ରାପର ଶିକାର ହୋଇଥିବା ଅନେକ ଯୁବତୀ ପୁଲିସ ଆଗରେ ବୟାନ ରେକର୍ଡ କରି ସାରିଛନ୍ତି। ଜିତୁଙ୍କ ସହିତ ଯେଉଁ ବାବୁମାନଙ୍କର ସଂପୃକ୍ତି ରହିଛି ସେମାନେ ଶିବରାଜ ସିଂହଙ୍କ ପୂର୍ବ ସରକାରରେ ବଡ଼ ବଡ଼ ପଦବୀରେ ଥିବା ଜଣାପଡ଼ିଛି।
ଏମିତିକି ହନିଟ୍ରାପ ମାମଲାରେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ସାମିଲ୍ ଥିବା ନେଇ ହନିଟ୍ରାପର ଶିକାର ମହିଳା ବୟାନ ଦେବା ପରେ ଏହାକୁ ନେଇ ଅନେକ ନେତା ସେତେବେଳେ କ୍ରାଇମବ୍ରାଞ୍ଚ ସ୍କାନରରେ ଆସିବେ ବୋଲି ଜଣାପଡ଼ିଛି।
ଜିତୁ ଇନ୍ଦୋରରେ ‘ସଞ୍ଝା ଲୋକସ୍ୱାମୀ’ ଖବରକାଗଜ ଚଳାଉଥିଲେ। ବିଭିନ୍ନ ଖବର ମାଧ୍ୟମରେ ସେ ଲୋକଙ୍କୁ ବ୍ଲାକମେଲ କରୁଥିଲେ। ଏମିତିକି ବ୍ଲାକମେଲିଂ କରି ବହୁ ପରିମାଣର ଟଙ୍କା ଆଦାୟ କରୁଥିଲେ। ତେବେ ହନିଟ୍ରାପ ମାମଲା ସାମ୍ନାକୁ ଆସିବା ପରେ କମଲନାଥ ସରକାରଙ୍କ ନିର୍ଦ୍ଦେଶକ୍ରମେ ଇନ୍ଦୋର ମ୍ୟୁନିସିପାଲିଟି କର୍ପୋରେସନ୍ ମଧ୍ୟ ସଞ୍ଝା ଲୋକସ୍ୱାମୀର ଅଫିସକୁ ଭାଙ୍ଗି ଦେଇଥିଲେ।