ନୂଆଦିଲ୍ଲୀ: ଦେଶର ତ୍ରୟୋଦଶ ରାଷ୍ଟ୍ରପତି ତଥା ବରିଷ୍ଠ ରାଜନେତା ପ୍ରଣବ ମୁଖାର୍ଜୀ, ଦିବଂଗତ ପ୍ରସିଦ୍ଧ ସଙ୍ଗୀତଜ୍ଞ ଡ. ଭୂପେନ୍ ହଜାରିକା ଏବଂ ସାମାଜିକ କର୍ମୀ ନାନାଜୀ ଦେଶମୁଖଙ୍କୁ ଆଜି ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ଡକ୍ଟର ହଜାରିକା ଓ ନାନାଜୀଙ୍କୁ ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ କରାଯାଇଛି। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମ୍ମାନ ପ୍ରଦାନ କରିଛନ୍ତି।
ଗତ ଜାନୁଆରୀ ୨୫ ତାରିଖରେ ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସଂକ୍ରାନ୍ତ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମ୍ମାନରେ ପ୍ରଣବ ମୁଖାର୍ଜୀଙ୍କୁ ସମ୍ମାନିତ କରିବା ନେଇ ଏଥିରେ ଘୋଷଣା କରାଯାଇଥିଲା। ସେହିପରି ଡ.ହାଜାରିକା ଓ ନାନାଜୀଙ୍କ ପରିବାର ଲୋକ ଏହି ସମ୍ମାନ ଗ୍ରହଣ କରିବେ ବୋଲି ଏଥିରେ କୁହାଯାଇଥିଲା।
ଶ୍ରୀ ମୁଖାର୍ଜୀ ୨୦୧୨ରୁ ୨୦୧୭ ଯାଏ ଦେଶର ୧୩ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ଜଣେ ବରିଷ୍ଠ କଂଗ୍ରେସ ନେତା ହିସାବରେ ସେ ୟୁପିଏ ସରକାରଙ୍କ ଅମଳରେ ଏକାଧିକ ମନ୍ତ୍ରିପଦରେ ରହିଥିଲେ। ୟୁପିଏ ୨ ସରକାର ଅମଳରେ ଶ୍ରୀ ମୁଖାର୍ଜୀ ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ଏହି ଦାୟିତ୍ୱରେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।
ଆସାମର ମୂଳ ନିବାସୀ ଡକ୍ଟର ହଜାରିକା ଜଣେ ଗାୟକ ଓ ସଂଗୀତ ନିର୍ଦ୍ଦେଶକ ଭାବେ ଦେଶ ବିଶେଷରେ ବିଶେଷ ଖ୍ୟାତି ଓ କୃତିତ୍ୱ ଅର୍ଜ୍ଜନ କରିଥିଲେ। ସ୍ୱାଧୀନତା ପରେ ସଂଗୀତ କ୍ଷେତ୍ରରେ ସଂଘର୍ଷ କରୁଥିବା ଆଶାୟୀ ମାନଙ୍କୁ ଡକ୍ଟର ହଜାରିକା ନୂଆ ପରିଚୟ ଦେଇଥିଲେ। ସେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି। ସେହିପରି ତାଙ୍କୁ ୧୯୭୭ରେ ପଦ୍ମଶ୍ରୀ ଓ ୨୦୦୧ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ସମାଜସେବାରେ ବିଶେଷ ଉଲ୍ଲେଖନୀୟ ଅବଦାନ ପାଇଁ ନାନାଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ନାନାଜୀ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗ୍ରାମାଞ୍ଚଳରେ ଆତ୍ମନିର୍ଭଶୀଳତା ସୃଷ୍ଟି ପରି କାର୍ଯ୍ୟରେ ସାରା ଜୀବନ କାର୍ଯ୍ୟ କରିଥିଲେ। ସେ ଭାରତୀୟ ଜନସଂଘର ସଦସ୍ୟ ରହିଥିଲେ। ସେହିପରି ରାଜ୍ୟସଭା ସାଂସଦ ଭାବେ ମଧ୍ୟ ନାନାଜୀ କାର୍ଯ୍ୟ କରିଛନ୍ତି। ତାଙ୍କୁ ୧୯୯୯ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଭାରତ ରତ୍ନ ପାଇଥିବା ୩ ଜଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ। ସେ ପ୍ରଣବଙ୍କ ପ୍ରଶଂସାରେ କହିଥିଲେ, ପ୍ରଣବ ଦା' ଆମ ସମୟର ଜଣେ ସ୍ପଷ୍ଟବାଦୀ ନେତା। ଦଶନ୍ଧି ଦଶନ୍ଧି ଧରି ସେ ନିଃସ୍ୱାର୍ଥପର ଭାବେ ରାଷ୍ଟ୍ରସେବା କରିଆସିଛନ୍ତି। ତାଙ୍କ ଜ୍ଞାନ ଏବଂ ବୁଦ୍ଧିର ତୁଳନା ନାହିଁ। ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉଥିବା ଜାଣି ଆନନ୍ଦିତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।