ନିର୍ବାଚନ ନ ସରୁଣୁ ବିରୋଧୀଙ୍କ ମେଣ୍ଟରେ ଫାଟ

ନୂଆଦିଲ୍ଲୀ: ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ବାରମ୍ବାର ଏକାଠି ହେବାକୁ ଚେଷ୍ଟା କରୁଥିଲେ ହେଁ ଏହା ସମ୍ଭବ ହୋଇପାରୁ ନାହିଁ। ଦେଶରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ସବୁ ବିରୋଧୀ ଦଳ ଏକାଠି ହେବା ପାଇଁ ଯୋଜନା କରାଯାଇଥିଲା। ସବୁ ବିରୋଧୀ ଦଳ କଂଗ୍ରେସ ନେତୃତ୍ୱରେ ଏକାଠି ହୋଇ ରାଷ୍ଟ୍ରପତିଙ୍କୁ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭେଟିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ଭୋଟ ପ୍ରକ୍ରିୟା ଶେଷ ହେବା ଆଗରୁ ବିରୋଧୀଙ୍କ ମେଣ୍ଟରେ ଫାଟ […]

sw

Hemant Lenka
  • Published: Sunday, 12 May 2019
  • , Updated: 12 May 2019, 05:14 PM IST

ନୂଆଦିଲ୍ଲୀ: ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ବାରମ୍ବାର ଏକାଠି ହେବାକୁ ଚେଷ୍ଟା କରୁଥିଲେ ହେଁ ଏହା ସମ୍ଭବ ହୋଇପାରୁ ନାହିଁ। ଦେଶରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ସବୁ ବିରୋଧୀ ଦଳ ଏକାଠି ହେବା ପାଇଁ ଯୋଜନା କରାଯାଇଥିଲା। ସବୁ ବିରୋଧୀ ଦଳ କଂଗ୍ରେସ ନେତୃତ୍ୱରେ ଏକାଠି ହୋଇ ରାଷ୍ଟ୍ରପତିଙ୍କୁ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭେଟିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ଭୋଟ ପ୍ରକ୍ରିୟା ଶେଷ ହେବା ଆଗରୁ ବିରୋଧୀଙ୍କ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। କଂଗ୍ରେସ ଦିଲ୍ଲୀରେ ଡାକିଥିବା ଏକ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିଏସ୍‌ପି ମୁଖ୍ୟ ମାୟାବତୀ ଓ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ସିଂହ ଯାଦବ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ବିଜେପିର ପୁରୁଣା ସହଯୋଗୀ ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଗତ ସପ୍ତାହରେ ପଶ୍ଚିମବଙ୍ଗ ଯାଇଥିଲେ। ଏହି ସମୟରେ ସେ ମମତାଙ୍କୁ ଭେଟିବା ସହ କଂଗ୍ରେସ ଡାକିଥିବା ବୈଠକ ସମ୍ପର୍କରେ ତାଙ୍କୁ କହିଥିଲେ। ହେଲେ ସେ ପ୍ରସ୍ତାବିତ ବୈଠକ ସମ୍ପର୍କରେ ନକାରାତ୍ମକ ମନ୍ତବ୍ୟ ଦେଇଥିଲେ। ଫଳାଫଳ ନ ବହାରିବା ଯାଏ କୌଣସି ବୈଠକର ଆବଶ୍ୟକତା ନଥିବା ସେ ନାଇଡୁଙ୍କୁ କହିଥିଲେ। ମାୟାବତୀ ମଧ୍ୟ ବୈଠକରେ ଯୋଗ ଦେବାକୁ ରାଜି ହୋଇ ନଥିବା ଜଣାପଡ଼ିଛି।

ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ କାର୍ଯ୍ୟ କରିବାକୁ ପଣ କରିଥିଲେ। କିନ୍ତୁ ବିରୋଧୀଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦକୁ ନେଇ ଦ୍ୱନ୍ଦ୍ୱ ଓ ମତଭେଦ ସୃଷ୍ଟି ହୋଇଥିଲା। ବିରୋଧୀ ଦଳର ସାମ୍ଭାବ୍ୟ ମହାମେଣ୍ଟରେ ସାମିଲ ହେବାକୁ ଥିବା କିଛି ଦଳ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଚାହୁଁଥିବା ବେଳେ ଆଉ କିଛି ଦଳ ଏଥିପାଇଁ ମାୟାବତୀ କିମ୍ବା ମମତାଙ୍କ ନାଁ ଉଠାଇଥିଲେ। ଏହି କାରଣରୁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇପାରୁ ନଥିବା କୁହାଯାଇଛି। ଅନ୍ୟପକ୍ଷରେ ବିରୋଧୀ ଦଳରେ ଥିବା ଏହି ଫାଟର ଫାଇଦା ଉଠାଇବାକୁ ବିଜେପି କୌଣସି ସୁଯୋଗ ଛାଡ଼ୁନାହିଁ।

ଉତ୍ତର ପ୍ରଦେଶରେ ପ୍ରଥମେ ବିଏସ୍‌ପି, ସପା ଓ କଂଗ୍ରେସ ଏକାଠି ନିର୍ବାଚନ ଲଢ଼ିବାର ଯୋଜନା ରହିଥିଲା। କିନ୍ତୁ ସପା ଓ ବିଏସ୍‌ପି ତାଙ୍କ ମେଣ୍ଟରେ କଂଗ୍ରେସକୁ ସାମିଲ କରି ନଥିଲେ। ସେହିପରି ପଶ୍ଚିମବଙ୍ଗରେ କଂଗ୍ରେସ ଏକାକୀ ଲଢ଼ୁଛି। ଏସବୁ ସତ୍ତ୍ୱେ କଂଗ୍ରେସ ଭୋଟ ସରିବା ପରେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ଚାହିଁଥିଲା। ହେଲେ ଏବେ ଏହି ଉଦ୍ୟମ ବିଫଳ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି।

Related story