ବନାରସ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ରେ ଜଣେ ମୁସଲିମ୍ ପ୍ରଫେସର ସଂସ୍କୃତ ପଢ଼ାଇ ପାରିବେ ନାହିଁ ବୋଲି ଦାବି କରି ସଂସ୍କୃତ ବିଭାଗର ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି। ନଭେମ୍ୱର ୭ରୁ ଏଯାଏ ଆନ୍ଦୋଳନ ଚାଲିଛି। ଏମିତିକି ପ୍ରଫେସରଙ୍କ ନିଯୁକ୍ତି ବିଏଚୟୁର ସଂସ୍ଥାପକ ମଦନମୋହନ ମାଲବ୍ୟଙ୍କ ଚିନ୍ତାଧାରା ପ୍ରତି ଅସମ୍ମାନ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଏହାପରେ ମୁହଁ ଖୋଲିଛନ୍ତି ସଂସ୍କୃତ ବିଭାଗର ଆସୋସିଏଟ ପ୍ରଫେସର ଫିରୋଜ ଖାନ୍।
ସୂଚନାଯୋଗ୍ୟ, ଏବେ ଫିରୋଜଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ମଧ୍ୟ ସଂସ୍କୃତ ବିଭାଗର ଛାତ୍ରମାନେ ଆପତ୍ତି ଉଠାଇଛନ୍ତି। ବେଆଇନ ଭାବରେ ତାଙ୍କର ନିଯୁକ୍ତି ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ଫିରୋଜ ଖାନଙ୍କର ବଦଳି ଅନ୍ୟତ୍ର ହେଉ ବୋଲି ଛାତ୍ରଛାତ୍ରୀ କୁଳପତି ରାକେଶ ଭଟ୍ଟନଗରଙ୍କୁ ଭେଟି କହିଛନ୍ତି। ଏହାପରେ ବିଏଚୟୁ ପ୍ରଶାସନିକ ବିଭାଗ ସ୍ପଷ୍ଟ କରିଛି, ବିଏଚୟୁ ନିୟମ ଏବଂ ୟୁଜିସିର ନିୟମ ଅନୁଯାୟୀ ଫିରୋଜ ଖାନଙ୍କୁ ନିଯୁକ୍ତି ମିଳିଛି। ବିଏଚୟୁ ନିୟମ ଉପରେ ପ୍ରଶ୍ନ ଉଠାଇଥିବାରୁ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଳପତି ରାକେଶ ଭଟ୍ଟନଗର କହିଛନ୍ତି। 'ଜଣେ ମେଧାବୀର କୌଣସି ଧର୍ମ ନଥାଏ' ବୋଲି ସେ କହିଛନ୍ତି।
ସଂସ୍କୃତ ବିଭାଗର ଆସୋସିଏଟ ପ୍ରଫେସର ପଦବୀ ପାଇଁ ୧୦ ଜଣ ଆବେଦନ କରିଥିଲେ। ସମସ୍ତେ ୦-୨ ମଧ୍ୟରେ ମାର୍କ ରଖିଥିବା ବେଳେ ଫିରୋଜ ୧୦ରୁ ୧୦ ରଖିଥିଲେ। ଛୋଟ ବେଳେ ତାଙ୍କ ପାଠ ପଢ଼ା ଜାତୀୟ ସଂସ୍କୃତ ସଂସ୍ଥାନରୁ ଆରମ୍ଭ ହୋଇଥିଲା। ହେଲେ ସେଠି କେବେ ଏଭଳି ବିରୋଧାଭାସ ଦେଖିନଥିଲେ ବୋଲି ଫିରୋଜ କହିଛନ୍ତି।