ଚଣ୍ଡୀଗଡ଼: ଧାନ ଓ ଗହମର ଶସ୍ୟ ମୂଳ ପୋଡ଼ି ପ୍ରଦୂଷଣ କରୁଥିବା ୩୦୦୦ ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ପଞ୍ଜାବ ସରକାର। ଅମିରନ୍ଦର ସିଂହଙ୍କ ସରକାର ଚଳିତ ବର୍ଷ ୧୦ରୁ ୨୦ ପ୍ରତିଶତ ଏହି ଶସ୍ୟ ମୂଳ ପୋଡ଼ି ହ୍ରାସ କରାଇବା ଆଶାରେ ଅଛନ୍ତି। ସରକାର କହିଛନ୍ତି ଏଭଳି ୨୦,୭୨୯ଟି ମାମଲା ଆସିଛି। ସରକାର ୨,୯୨୩ ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ସରକାର କହିଛନ୍ତି ଏଭଳି ମୋଟ ୪୯ ହଜାର ଶସ୍ୟ ମୂଳ ପୋଡ଼ି ଘଟଣା ଘଟିଛି। ନଭେମ୍ବର ୧ ସୁଦ୍ଧା ୨୦,୭୨୯ ରିପୋର୍ଟ ଆସିଛି। ଏବେ ସୁଦ୍ଧା ୭୦% ଅମଳ ସରିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି, ଯଦିଓ ଜୋରିମାନା ଆଦାୟ ନେଇ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି ରାଜ୍ୟ ସରକାର କିନ୍ତୁ ଏହି ବିପଜ୍ଜନକ କାମରେ କଟକଣା ଲଗାଇବାର ପ୍ରୟାସ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ପଞ୍ଜାବ ସହିତ ହରିଆଣା ଏବଂ ଉତ୍ତରାଖଣ୍ଡରେ ଚାଷୀମାନେ ଏଭଳି ଉପାୟରେ ଶସ୍ୟ ପୋଡ଼ି ଜାରି ରଖିଥିବାରୁ ଏହାର ପ୍ରଭାବ ଦିଲ୍ଲୀ ଉପରେ ପଡ଼ୁଛି। ଏହି ବିପଜ୍ଜନକ ଧୁଆଁର ବଳୟ ଦିଲ୍ଲୀରେ ପରିସ୍ଥିତି ସଙ୍ଗିନ୍ କରିବାର ଅନ୍ୟତମ କାରଣ ପାଲଟିଛି।