ଲୁଟେରା ସାଜିଲେ ପଞ୍ଜାବର ପ୍ରଥମ ମହିଳା କ୍ୟାବ୍ ଡ୍ରାଇଭର
ଚଣ୍ଡିଗଡ଼: କିଛି ଦିନ ତଳେ ପଞ୍ଜାବର ମୋହାଲୀରୁ ଏକ କାର୍ ଲୁଟ୍ ହୋଇଥିଲା। ବନ୍ଧୁକ ଦେଖାଇ ଏହି ଲୁଟ୍ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି।
ସେ ହେଉଛନ୍ତି ପଞ୍ଜାବର ପ୍ରଥମ କ୍ୟାବ୍ ଡ୍ରାଇଭର୍ ନବଦୀପ କୌର ଓରଫ ଦୀପ। ତାଙ୍କ ସହିତ ଆଉ ଦୁଇ ଜଣଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି।
ତଦନ୍ତ ବେଳେ ଜଣାପଡ଼ିଥିଲା ଯେ କାର୍ ଲୁଟ୍ କରିଥିବା ଗ୍ୟାଙ୍ଗର ମୁଖ୍ୟ ଜଣେ ମହିଳା।
ଜଲନ୍ଧର ପୁଲିସ୍ କମିଶନର ପ୍ରବୀଣ ସିହ୍ନା କହିଛନ୍ତି,“ନବଦୀପ ଏହି ଗ୍ୟାଙ୍ଗର ମୁଖିଆ ଥିଲେ। ତାଙ୍କ ସହଯୋଗୀ ଅନୀଲ କୁମାର ସୋନୁ ଓ ଗୁରପ୍ରୀତ ସିଂହ ଓରଫ ଗୋପୀଙ୍କୁ ଗିରଫ କରାଯାଇଛି।”
କମିଶନର କହିଛନ୍ତି ଯେ ନବଦୀପ ଓ ତାଙ୍କ ସାଥୀମାନେ ବନ୍ଧୁକ ମୁନରେ କାର୍ ଲୁଟି ଥିଲେ। ଲୁଟ୍ ହୋଇଥିବା କାର୍କୁ ଜବତ କରାଯାଇଛି। ଏହା ବ୍ୟତୀତ ସେମାନଙ୍କଠାରୁ ୩୫୦ ଗ୍ରାମର ନିଶା ପାଉଡର, ଗୋଟିଏ ଗୁଳି ଭର୍ତ୍ତି ପିସ୍ତଲ ଓ ଗୋଟିଏ ରିଭଲ୍ଭର ଜବତ କରାଯାଇଛି।
ତଦନ୍ତରୁ ଏହା ବି ଜଣାପଡ଼ିଛି ଯେ ଏହି ଗ୍ୟାଙ୍ଗ୍ ଲୁଧିଆନାରେ ବନ୍ଦୀ ଥିବା ସେମାନଙ୍କର ଜଣେ ସହଯୋଗୀ ଦୀପକ କୁମାର ଓରଫ ବିନ୍ନୀ ଗୁଜ୍ଜରକୁ ଫେରାର କରାଇବାକୁ ଯୋଜନା କରୁଥିଲେ। ସେଥିପାଇଁ ଏହି କାର୍ ଲୁଟ୍ କରିଥିଲେ।
ସୂଚନାଯୋଗ୍ୟ, ନବଦୀପଙ୍କ ସ୍ୱାମୀ ଗୁରବିନ୍ଦର ସିଂହ ୬ଟି ବ୍ୟାଙ୍କ ଡକାୟତି ଘଟଣାରେ ଗିରଫ ହୋଇ ଚଣ୍ଡିଗଡ଼ର ଏକ ଜେଲ୍ରେ ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।