ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର୍ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା କୌଣସି ସରକାରୀ ଚାକିରିଆ ନୁହଁନ୍ତି। କୌଣସି ସରକାର ଯଦି ସେମିତି ଭାବୁଛନ୍ତି, ତେବେ ତାହା ଭୁଲ୍।‘ ନିଜର ନୂଆ ପୁସ୍ତକ ‘ଆଇ ଡୁ ହ୍ବାଟ୍ ଆଇ ଡୁ’ (I Do What I Do) ମାଧ୍ୟମରେ ଏମିତି କଡ଼ା ମତ ପ୍ରକାଶ କରିଛନ୍ତି ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ। ଲେଖିଛନ୍ତି, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ପଦବୀକୁ ନେଇ କେନ୍ଦ୍ର ସରକାର ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ଉଚିତ।
ରାଜନଙ୍କର ଏହି ପୁସ୍ତକଟି ତାଙ୍କ ଭାଷଣ ଓ କିଛି ପ୍ରବନ୍ଧର ଏକ ସଂକଳନ ମାତ୍ର। ଏହା ତାଙ୍କ କାର୍ଯ୍ୟକାଳ ସମୟର ବିବରଣୀ ଉପରେ ଆଧାରିତ ନୁହେଁ। ତେବେ ତାଙ୍କ ଭାଷଣ ଓ ପ୍ରବନ୍ଧ ମାଧ୍ୟମରେ ରାଜନ ଖୁବ୍ ସ୍ପଷ୍ଟ ଓ କଡ଼ା ଭାଷାରେ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ନିଜର କାର୍ଯ୍ୟକାଳ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ଯୋଜନାର କାର୍ଯ୍ୟକାରିତକୁ ନେଇ ସେ ତାଙ୍କ ଅଭିଜ୍ଞତା ବି ବଖାଣିଛନ୍ତି।
ସେ ଲେଖିଛନ୍ତି- ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦକୁ ନେଇ ଯଦି ସ୍ପଷ୍ଟ ଆଭିମୁଖ୍ୟ ନ ରହିବ, ତେବେ ପ୍ରକାରାନ୍ତରେ ଅମଲା ବା ବ୍ୟୁରୋକ୍ରାସି ଏହି ମହତ୍ୱପୂର୍ଣ୍ଣ ପଦବୀ ଶକ୍ତିକ୍ଷୟ ପାଇଁ ଲାଗି ପଡ଼ନ୍ତି। ପୂର୍ବତନ ସରକାର ଓ ଏବେର ସରକାର, ଉଭୟ ଗଭର୍ଣ୍ଣର ପଦର ଗାରିମା ନେଇ ଆଭିମୁଖ୍ୟ ସ୍ପଷ୍ଟ ନ ରଖିଥିବାରୁ କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ କ୍ରମେ ଦୁର୍ବଳ ଅବସ୍ଥାକୁ ଆସିଯାଇଛନ୍ତି।
ଆର୍ଥିକ ସ୍ଥିତି ମଜଭୁତ ପାଇଁ ଆରବିଆଇର ସ୍ୱାଧୀନତା ଜରୁରୀ
ରାଜନ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି,“ ଦେଶର ଆର୍ଥିକ ସ୍ଥାୟିତ୍ୱ ପାଇଁ ଏକ ସୁଦୃଢ ଓ ସ୍ୱାଧୀନ ରିଜର୍ଭ ବ୍ୟାଙ୍କର ଆବଶ୍ୟକତା ରହିଛି, ଯାହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ । ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଡ଼ି ସୁବାରାଓଙ୍କ ବିଷୟରେ ଉଲ୍ଲେଖ କରି ସେ ଲେଖିଛନ୍ତି- ଦିନେ ଅର୍ଥମନ୍ତ୍ରୀ ହୁଏତ କହିବେ ରିଜର୍ଭ ବ୍ୟାଙ୍କ ଯୋଗୁଁ ତାଙ୍କୁ ହଇରାଣ ହେବାକୁ ପଡୁଛି। ଏହି ଭୟରେ ସେ ବାହାରକୁ ବୁଲିବାକୁ ଯିବାକୁ ଚାହିଁବେ। ବରଂ ଏକା ଏକା ଯିବେ। ଭଗବାନଙ୍କୁ ଧନ୍ୟବାଦ ଯେ ଭାରତରେ ଏକ ରିଜର୍ଭ ବ୍ୟାଙ୍କ ଅଛି।”
ବ୍ୟାଙ୍କ ପାଇଁ ସ୍ୱାଧୀନତା ଜରୁରୀ
ରାଜନ ତାଙ୍କ ବହିରେ ଆହୁରି ଉଲ୍ଲେଖ କରିଛନ୍ତି,“ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତ୍ତି ନେବାର ସ୍ୱାଧୀନତା ରିଜର୍ଭ ବ୍ୟାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆର୍ଥିକ ସ୍ଥିତି ସୁଦୃଢ଼ ପାଇଁ କେନ୍ଦ୍ରୀୟ ବ୍ୟାଙ୍କର ପରିଚାଳନାରେ ସ୍ୱତନ୍ତ୍ରତା ରହିଛି। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଢାଞ୍ଚାରେ ରିଜର୍ଭ ବ୍ୟାଙ୍କ ଚାଲେ। ଏହା ସବୁବେଳେ ମନ୍ତ୍ରଣାଳୟର ପରାମର୍ଶ ଅନୁସାରେ କାମ କରିବା ଉଚିତ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।