ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଡିସେମ୍ବର ୧ ତାରିଖରେ କଂଗ୍ରେସର ମଙ୍ଗ ଧରିବାକୁ ଯାଉଛନ୍ତି। ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ତାରିଖ ଘୋଷଣା ନେଇ ଜାତୀୟ କାର୍ଯ୍ୟକାରିଣୀର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଏଥିରେ ଅନ୍ୟ କୌଣସି ନେତା ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ନକଲେ ରାହୁଲଙ୍କ ସଭାପତି ହେବା ଏକ ପ୍ରକାର ନିଶ୍ଚିତ। ଯଦି ଏପରି ହୁଏ ରାହୁଲ ଡିସେମ୍ବର ୧ ତାରିଖରେ ଦଳର ମଙ୍ଗ ଧରିବା ନିଶ୍ଚିତ।
ସୂଚନାଯୋଗ୍ୟ, ଡିସେମ୍ବର ୩୧ ତାରିଖ ସୁଦ୍ଧା ସାଂଗଠନିକ ନିର୍ବାଚନ ଶେଷ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ। ଦଳର ଜାତୀୟ ନିର୍ବାଚନ ଅଧିକାରୀ ସଭାପତି ପଦ ପାଇଁ ଡିସେମ୍ବର ୧ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବାକୁ କହିଛନ୍ତି। ଏହିଦିନ ନାମାଙ୍କନ ପ୍ରତ୍ୟାହାର ପାଇଁ ମଧ୍ୟ ଦିନ ଧାର୍ଯ୍ୟ କରାଯାଇଛି। କୌଣସି ସଦସ୍ୟ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ନକଲେ ସେହିଦିନ ରାହୁଲଙ୍କୁ ମୁଖିଆ ଘୋଷଣା କରାଯିବ। ଯଦି କେହି ନାମାଙ୍କନ ଦାଖଲ କରନ୍ତି ତେବେ ଡିସେମ୍ବର ୮ ତାରିଖରେ ଅର୍ଥାତ ଗୁଜରାଟର ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଏହି ନିର୍ବାଚନ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।