ଦଳର ଇଚ୍ଛାରେ କାମ କରିବାକୁ ରାଜି ହେଲେ ରାହୁଲ ଗାନ୍ଧି, କ’ଣ ଅଧ୍ୟକ୍ଷ ହେବେ

ନୂଆଦିଲ୍ଲୀ: କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ପଦ ପାଇଁ ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ନୂଆ ଟ୍ୱିଷ୍ଟ ଆସିଛି। ପୂର୍ବରୁ ଦଳର କଥା ମାନି ଅଧ୍ୟକ୍ଷ ହେବାକୁ ଅମଙ୍ଗ ହେଉଥିବା ରାହୁଲ ଗାନ୍ଧି ନିଜର ଆଭିମୁଖ୍ୟରେ ଆଜି ପରବିର୍ତ୍ତନ କରିଛନ୍ତି। ଅବଶ୍ୟ ସେ ସିଧାସଳଖ ଅଧ୍ୟକ୍ଷ ପଦ ସମ୍ଭାଳିବେ କି ନାହିଁ, ସେକଥା କହିନାହାନ୍ତି। କିନ୍ତୁ ଦଳ ଯାହା ଚାହିଁବି, ତଦନୁସାରେ ସବୁ କାମ କରିବେ ବୋଲି କହିଛନ୍ତି। ଦଳର ନେତୃତ୍ୱ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଅନ୍ତରୀଣ […]

f

Hemant Lenka
  • Published: Saturday, 19 December 2020
  • , Updated: 19 December 2020, 06:17 PM IST

ନୂଆଦିଲ୍ଲୀ: କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ପଦ ପାଇଁ ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ନୂଆ ଟ୍ୱିଷ୍ଟ ଆସିଛି। ପୂର୍ବରୁ ଦଳର କଥା ମାନି ଅଧ୍ୟକ୍ଷ ହେବାକୁ ଅମଙ୍ଗ ହେଉଥିବା ରାହୁଲ ଗାନ୍ଧି ନିଜର ଆଭିମୁଖ୍ୟରେ ଆଜି ପରବିର୍ତ୍ତନ କରିଛନ୍ତି। ଅବଶ୍ୟ ସେ ସିଧାସଳଖ ଅଧ୍ୟକ୍ଷ ପଦ ସମ୍ଭାଳିବେ କି ନାହିଁ, ସେକଥା କହିନାହାନ୍ତି। କିନ୍ତୁ ଦଳ ଯାହା ଚାହିଁବି, ତଦନୁସାରେ ସବୁ କାମ କରିବେ ବୋଲି କହିଛନ୍ତି।

ଦଳର ନେତୃତ୍ୱ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିବା କଂଗ୍ରେସର ତଥାକଥିତ ବିଦ୍ରୋହୀଙ୍କ ସହ ଆଜି ହାଇକମାଣ୍ଡ ଆଲୋଚନା କରିଥିଲେ। ଦୀର୍ଘ ୫ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ବିଦ୍ରୋହୀଙ୍କ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରମୁଖ ସାମିଲ ଥିଲେ।

କଂଗ୍ରେସର କିଛି ନେତା ରାହୁଲ ଗାନ୍ଧି ପୁଣିଥରେ ଦଳର ଅଧ୍ୟକ୍ଷ ହୁଅନ୍ତୁ ବୋଲି ବାରମ୍ବାର ଦାବି କରି ଆସୁଥିଲେ। ଆଜିର ବୈଠକରେ ରାହୁଲ ସିଧାସଳଖ ଏହା ଉପରେ କିଛି କହି ନାହାନ୍ତି। କିନ୍ତୁ ସେ ଦଳ ଯାହା କହିବ ଓ ଯାହା ଚାହିଁବ, ତଦନୁସାରେ ସବୁ କାମ କରିବାକୁ ରାଜି ହୋଇଥିବା କଂଗ୍ରେସର ବରିଷ୍ଠ ନେତା ପୱନ ବଂଶଲ ବୈଠକ ପରେ କହିଛନ୍ତି। ଏଥିସହ ବୁଥ ସ୍ତରରେ ଦଳକୁ ସଶକ୍ତ କରିବା ପାଇଁ ହାଇକମାଣ୍ଡ ଓ କର୍ମୀଙ୍କ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକ ବେଳେ ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ହୁଅନ୍ତୁ ବୋଲି ନେତାମାନେ କହିଥିଲେ। ସବୁ କିଛି ଶୁଣିବା ପରେ ରାହୁଲ ଗାନ୍ଧି କହିଥିଲେ ଯେ ଦଳ ଯାହା କହିବ, ସେ ଦାୟିତ୍ୱ ନେବାକୁ ସେ ପ୍ରସ୍ତୁତ। ଏହାପରେ ବୈଠକରେ ତାଳିମାରି ସମସ୍ତେ ଏହାକୁ ସ୍ୱାଗତ କରିଥିଲେ।

ଏହାର ଅର୍ଥ କ’ଣ ରାହୁଲ ଗାନ୍ଧି ପୁଣି ଅଧ୍ୟକ୍ଷ ପଦକୁ ଫେରିବେ କି ବୋଲି ପ୍ରଶ୍ନର ଉତ୍ତରରେ ପୱନ ବଂଶଲ କହିଛନ୍ତି, ରାହୁଲ ଗାନ୍ଧିଙ୍କ ସହ କୌଣସି ସମସ୍ୟା କାହାର ନାହିଁ। କୌଣସି କଥା ଆପଣ ମୋ ମୁହଁରେ ପୂରାଇବାକୁ ଚେଷ୍ଟା କରନ୍ତୁ ନାହିଁ। କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆପଣ ଆଗକୁ ସବୁ କିଛି ଜାଣିପାରିବେ ବୋଲି ସେ କହିଛନ୍ତି।

୨୦୧୭ରେ ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ। କିନ୍ତୁ ୨୦୧୯ରେ କଂଗ୍ରେସ ସାଧାରଣ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ରାହୁଲ ନାଟକୀୟ ଭାବେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।

କଂଗ୍ରେସର ନେତାମାନେ ତାଙ୍କୁ ବୁଝାଇ ଥିଲେ ହେଁ ସେ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ମନା କରିଥିଲେ। ଶେଷରେ ଦୀର୍ଘ ୧୯ ବର୍ଷ ହେଲା କଂଗ୍ରେସ ମଙ୍ଗ ସମ୍ଭାଳିଥିବା ସୋନିଆ ଗାନ୍ଧି ପୁଣିଥରେ ଦଳର ଅନ୍ତରୀଣ ଅଧ୍ୟକ୍ଷ ହୋଇଥିଲେ।

Related story