ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର କହିଛନ୍ତି, କେନ୍ଦ୍ର ସରକାର ହଠାତ ଏପରି ଲକ୍ଡାଉନ୍ ଘୋଷଣା କରିବା ଛାନିଆ ସ୍ଥିତି ସୃଷ୍ଟି କରିଛି। ଏଥିପାଇଁ ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି ହୋଇଛି। ଏହି ପଦକ୍ଷେପ କାରଣରୁ ଅଧିକ ସଂଖ୍ୟାରେ ମୃତ୍ୟୁ ହେବ ବୋଲି ରାହୁଲ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ରାହୁଲ କହିଛନ୍ତି, ଆମକୁ ବୁଝିବାକୁ ହେବ ଯେ ଭାରତର ସ୍ଥିତି ଟିକେ ଭିନ୍ନ। ଆମକୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ପଦକ୍ଷେପ ନେଉଥିବା ଅନ୍ୟ ଦେଶ ଅପେକ୍ଷା ଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ହେବ।
ନିତିଦିନିଆ ରୋଜଗାର ଉପରେ ନିର୍ଭର କରୁଥିବା ଲୋକ ବା ଦିନ ମଜୁରିଆଙ୍କ ସଂଖ୍ୟା ଭାରତରେ ଅଧିକ ହୋଇଥିବାରୁ ସମ୍ପୂର୍ଣ୍ଣ ଅର୍ଥନୀତିକ କାରବାର ବନ୍ଦ କରିବା କଷ୍ଟକର ହୋଇପଡ଼ିବ ବୋଲି ରାହୁଲ କହିଛନ୍ତି। ତେଣୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ର ପରିଣାମ ଭୟଙ୍କର ହେବ, ଯାହାକି ମୃତ୍ୟୁସଂଖ୍ୟାକୁ ବଢ଼ାଇବ ବୋଲି ରାହୁଲ ଗାନ୍ଧି କହିଛନ୍ତି।