ଜୟପୁର: ରାଜ୍ୟର ବାର୍ଷିକ ବଜେଟକୁ କଳା ରଙ୍ଗର ମହିଳା ସହ ତୁଳନା କଲେ ରାଜସ୍ଥାନର ବିଜେପି ଅଧ୍ୟକ୍ଷ ବିଜେପି ନେତା ସତୀଶ ପୁନିଆ। । ଏପରି ମନ୍ତ୍ରବ୍ୟ ଦେଇ ବିବାଦ ଘେରକୁ ଚାଲି ଆସିଥିବା ସତୀଶଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏଥିସହ ଏପରି ଅଭଦ୍ରୋଚିତ ମନ୍ତବ୍ୟ ନିମନ୍ତେ ସତୀଶ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି ବି କରିଛି।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦ୍ୱାରା ବିଧାନସଭାରେ ୨୦୨୨-୨୩ ବର୍ଷ ଲାଗି ବଜେଟ ଆଗତ କରାଯାଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ । ବଜେଟ ଅଧିବେଶନ ଶେଷ ହେବା ପରେ ମିଡିଆ ସହ ଆଲୋଚନା ବେଳେ ଏହା ‘ଲିପାପୋତି’ ବାଲା ବଜେଟ ବୋଲି କହିଥିଲେ ରାଜସ୍ଥାନର ଭାଜପା ଅଧ୍ୟକ୍ଷ ବିଜେପି ନେତା ସତୀଶ ପୁନିଆ। । ଏନେଇ ସତିଶ କହିଥିଲେ, ବିବାହ କରିବାକୁ ଯାଉଥିବା ଜଣେ କଳା ରଙ୍ଗର କନିଆକୁ ଯେପରି ବିୟୁଟିପାର୍ଲର ନେଇ ଭଲ ଭାବେ ଶୃଙ୍ଗାର କରାଯାଇ ବେଦୀକୁ ନିଆଯାଏ , ଏହି ବଜେଟ ବି ସେହିପରି । ଏହି ବଜେଟରେ ତା’ଠୁ ଅଧିକ କିଛି ନାହିଁ ।
ସତିଶଙ୍କ ଏହି ଟିପ୍ପଣୀ ପରେ ତାଙ୍କୁ ଘେରିଛି କଂଗ୍ରେସ। କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସର କହିଲେ, ସତୀଶ ପୁନିୟା ଏପରି ଅଭଦ୍ର ଓ ଦାୟିତ୍ୱହୀନ ମନ୍ତବ୍ୟ ଦେଇ ମହିଳାଙ୍କ ଅପମାନ କରିଛନ୍ତି। ଏହାଦ୍ୱାରା ମହିଳାଙ୍କ ଗାରିମା ଉପରେ ଆଞ୍ଚ ଆସିଛି। ମହିଳା, ଭଉଣୀ, ଓ ଝିଅମାନଙ୍କ ପ୍ରତି ଅପମାନଜନକ ଶବ୍ଦ ବ୍ୟବହାର କରିବା ବିଜେପି ନେତାଙ୍କ ଅଭ୍ୟାସରେ ପଡ଼ି ଯାଇଛି।
ପୁନିୟାଙ୍କ ଏପରି ଟିପ୍ପଣୀକୁ ନେଇ କଂଗ୍ରେସ ତାଙ୍କୁ ଘେରିଥିବା ବେଳେ ଏହି ମହିଳା ବିରୋଧି ମାନସିକତା ବିଜେପିର ଡିଏନଏରେ ଅଛି ବୋଲି ଅଖିଳ ଭାରତୀୟ ମହିଳା କଂଗ୍ରେସ ପକ୍ଷରୁ କୁହାଯାଇଛି। ଏପରି ଟିପ୍ପଣୀ ଦେଇ ପୁନିୟା ମହିଳାଙ୍କ ଅପମାନ କରିଥିବା ବେଳେ ଏହା ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି ଅଖିଳ ଭାରତୀୟ ମହିଳା କଂଗ୍ରେସ ଅଧ୍ୟକ୍ଷ ।
ବିଜେପି ନେତା ମହିଳାଙ୍କ ଅପମାନ କରୁଥିବା ବେଳେ ମହିଳା ଏବଂ ବାଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ସବୁଥର ପରି ଏଥର ବି ନୀରବଦ୍ରଷ୍ଟା ସାଜିଛନ୍ତି। ରାଷ୍ଟ୍ରୀୟ ମହିଳା ଆୟୋଗ ବି ପାଟି ନ ଫିଟାଇବା ଲଜ୍ଜାଜନକ ବିଷୟ ବୋଲି ସେ କହିବା ସହ ଏଥିନିମନ୍ତେ ପୁନିୟା କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି କହିଛନ୍ତି।