ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ନିଶ୍ଚିତ ଶାନ୍ତି ଫେରିବ। ଆଉ କଶ୍ମୀର ପୁଣିଥରେ ସ୍ୱର୍ଗରେ ପରିଣତ ହେବ। ଏହା କହିଛନ୍ତି ୪ ଦିନିଆ ଜମ୍ମୁ ଓ କାଶ୍ମୀର ଗସ୍ତ କରିଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ବିଭିନ୍ନ ପ୍ରତିନିଧି ଦଳ ସହ ରାଜନାଥ ଆଲୋଚନା କରିଥିଲେ । ଏଥିସହ ଘାଟିରେ ଶାନ୍ତି ପ୍ରତିଷ୍ଠା ପାଇଁ ପଞ୍ଚସୂତ୍ରୀ ଫର୍ମୁଲା ଉପରେ ଗୁରୁତ୍ୱ ଦେଇଥିଲେ ରାଜନାଥ। ଏକ ସାମ୍ବାଦିକ ସମ୍ମିଳନୀରେ ରାଜନାଥ କହିଛନ୍ତି ଯେ, ଘାଟିରେ ଶାନ୍ତି ଫେରାଇବା ପାଇଁ ସେ ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ। ବର୍ଷକୁ ୫୦ ଥର ଜମ୍ମୁ କଶ୍ମୀର ଆସିବାକୁ ମଧ୍ୟ ରାଜି। କେବଳ କଶ୍ମୀର ବାସୀଙ୍କ ମୁହଁରେ ହସ ଦେଖିବା ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ରାଜନାଥ କହିଛନ୍ତି । ରାଜନାଥ କହିଛନ୍ତି, ଆତଙ୍କବାଦୀମାନେ ଅନେକ ପିଢୀକୁ କ୍ଷତି ପହଞ୍ଚାଇଛନ୍ତି। ବ୍ୟବସାୟୀ, ଯୁବପିଢ଼ୀ, ଶ୍ରମିକ ଓ ଗରିବ ଶ୍ରେଣୀର ଲୋକ ସବୁଠୁ ଅଧିକ କ୍ଷତି ସହୁଛନ୍ତି । କିନ୍ତୁ ଆଗାମୀ ପିଢ଼ୀକୁ ଆଉ ବରବାଦ ହେବାକୁ ଦିଆଯିବନି ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି, ତାକୁ ପ୍ରଶାସନିକ ସ୍ତରରେ ଲାଗୁ କରିବା ଉପରେ ଧ୍ୟାନ ଦିଆଯିବ। ସମ୍ବିଧାନର ୩୫-A ଉପରେ ନିଜ ପ୍ରତିକ୍ରିୟାରେ ରାଜନାଥ କହିଛନ୍ତି, କାଶ୍ମୀର ଲୋକଙ୍କ ଭବାବେଗ ବିରୋଧରେ ଯିବୁନାହିଁ।
ସେପଟେ କୁଲଗାମରେ ସେନା ଏନକାଉଣ୍ଟରରେ ଆଜି ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ଜୀବନ୍ତ ଧରାପଡ଼ିଛି। କିଛି ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ଗତକାଲି କୁଲଗାମ ଜିଲ୍ଲାର ଖୁଡ଼ଓ୍ୱାନୀ ଅଞ୍ଚଳରେ ସୁରକ୍ଷା କର୍ମୀମାନେ କର୍ଡନ୍ କରିବା ସହିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବାରୁ ଯବାନମାନେ ମଧ୍ୟ ଏହାର ଜବାବରେ ଗୁଳି ଚଳାଇଥିଲେ। ମୃତ ଦୁଇ ଆତଙ୍କବାଦୀଙ୍କ ପରିଚୟ ସ୍ପଷ୍ଟହୋଇ ନ ଥିଲେ ମଧ୍ୟ ସେମାନେ ହିଜବୁଲ ମୁଜାହିଦ୍ଦିନ ସଂଗଠନର ବୋଲି କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।