ମେରିଗ୍ନାକ୍: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ପ୍ରଥମ ଭାରତୀୟ ରକ୍ଷାମନ୍ତ୍ରୀ ଭାବେ ରାଫେଲ୍ରେ ଉଡ଼ିଛନ୍ତି। ଫ୍ରାନ୍ସର ମେରିଗ୍ନାକ୍ଠାରେ ସେ ଏହି ସୁଯୋଗ ନେଇଛନ୍ତି। ଏହି ଜେଟ୍ଟି ଡାସଲ୍ଟ ଆଭିଏସନ୍ର ହେଡ୍ ଟେଷ୍ଟ ପାଇଲଟ୍ ଫିଲିପ୍ ଡୁଚାଟ୍ୟୁ ଉଡ଼ାଇଥିଲେ।
ସେ ଏହି ୨୫ ମିନିଟ୍ର ଉଡ଼ାଣ ପରେ କହିଥିଲେ, “ଏହା ଖୁବ୍ ସୁବିଧାଜନକ ଉଡ଼ାଣ ଥିଲା। ଏହି ମୁହୂର୍ତ୍ତ ନିଶ୍ଚୟ ଅବିଶ୍ୱସନୀୟ। ମୁଁ କେବେ ଭାବିନଥିଲି ଏମିତି ସୁପରସୋନିକ୍ ସ୍ପିଡ୍ରେ ବିମାନରେ ଉଡ଼ିବି ବୋଲି। ଏହା ଏକା ସମୟରେ ଏୟାର-ଟୁ-ଏୟାର ଏବଂ ଏୟାର-ଟୁ-ଲ୍ୟାଣ୍ଡ ଫାୟର କରିପାରିବ।”
ଏହା ପୂର୍ବରୁ ରାଜନାଥ ରାଫେଲ୍ ଗ୍ରହଣ କରିବା ସହ ଏହାର ଶସ୍ତ୍ର ପୂଜା କରିଥିଲେ। ବିଜୟା ଦଶମୀରେ ଏପରି ପୂଜାର ପରମ୍ପରା ରହିଥିବାରୁ ସେ ରାଫେଲ୍ ପରି ଐତିହାସିକ ଚୁକ୍ତିର ଏହି ମୂହୁର୍ତ୍ତକୁ ମଧ୍ୟ ପୂଜା ଦ୍ୱାରା ସ୍ୱତନ୍ତ୍ର କରିଥିଲେ। ଏଥିରେ ସେ ରାଫେଲ୍ ଉପରେ ନଡ଼ିଆ ରଖିବା ସହ ସିନ୍ଦୁରରେ ଓଁ ଲେଖିଥିଲେ। ଏପରିକି ରାଫେଲ୍ର ଚକ ତଳେ ଲେମ୍ବୁ ମଧ୍ୟ ରଖାଯାଇଥିଲା।
ସୂଚନାଯୋଗ୍ୟ ଯେ, ଭାରତ ଫ୍ରାନ୍ସରୁ ୩୬ଟି ରାଫେଲ ଯୁଦ୍ଧ ବିମାନ ଅର୍ଡର କରିଥିଲା। ଏହାର ମୂଲ୍ୟ ୫୯,୦୦୦ କୋଟି ଟଙ୍କା ସ୍ଥିର କରାଯାଇଥିଲା। ରୁଷ୍ ନିର୍ମିତ ସୁଖୋଇ ୩୦ ଯୁଦ୍ଧ ବିମାନ ପରେ ଗତ ୨୨ ବର୍ଷ ମଧ୍ୟରେ ରାଫେଲ୍ ପ୍ରଥମ ଇମ୍ପୋର୍ଟେଡ୍ ଯୁଦ୍ଧ ବିମାନ ହେବ। ୧୯୯୭ ମସିହାରେ ସୁଖୋଇ-୩୦ ବାୟୁସେନାରେ ସାମିଲ ହୋଇଥିଲା।
ଭାରତ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ଏହି ଯୁଦ୍ଧ ବିମାନରେ ବେଶ୍ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଏଥିରେ ଇସ୍ରାଏଲ ନିର୍ମିତ ହେଲମେଟ୍ ମାଉଣ୍ଟେଡ୍ ଡିସ୍ପ୍ଲେ, ରାଡାର ୱାର୍ଣ୍ଣିଂ ରିସିଭ୍, ଲୋ ବ୍ୟାଣ୍ଡ ଜାମର, ୧୦ ଘଣ୍ଟାର ଫାଇଟ୍ ଡାଟା ରେକର୍ଡିଂ, ଇନ୍ଫ୍ରା ରେଡ୍ ସର୍ଚ୍ଚ ଏବଂ ଟ୍ରାକିଂ ସିଷ୍ଟମ୍ ଆଦି ରହିଛି। ସୂଚନାଯୋଗ୍ୟ ଯେ, ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହାକୁ ବହୁତ ବିରୋଧ କରିଥିଲା। ଏପରିକି ଏହି ଚୁକ୍ତି ଅଧିକ ଦରରେ ଏବଂ ରିଲାଏନ୍ସ ଭଳି କମ୍ପାନୀକୁ ଫାଇଦା ଦେବାକୁ କରାଯାଇଥିବା କୁହାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।