ଚଣ୍ଡିଗଡ଼: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍ ରାମ ରହିମଙ୍କ ବିରୋଧରେ ଆଜି ହେବ ଦଣ୍ଡବିଧାନ। ୨ ଜଣ ଅନୁଗାମୀଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାମ୍ ରହିମଙ୍କ ବିରୋଧରେ ଦଣ୍ଡ ଘୋଷଣା କରିବେ ସିବିଆଇର ସ୍ୱତନ୍ତ୍ର କୋର୍ଟ। ସୁରକ୍ଷା ଦୃଷ୍ଟିରୁ ରୋହତକ୍ ଜେଲ୍ ପରିସରରେ ହିଁ ବିଚାରପତି ଦଣ୍ଡ ଘୋଷଣା କରିବେ। ଏଥିପାଇଁ ସୈନ୍ୟ ଛାଉଣୀରେ ପରିଣତ ହୋଇଛି ରୋହତକ ସହର। ଏହାସହ ଜେଲ୍ ଆଖପାଖରେ କୌଣସି ସନ୍ଦିଗ୍ଧଙ୍କୁ ଦେଖିଲେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର ବାବା ରାମ ରହିମଙ୍କ ଅନୁଗାମୀ ଘଟାଇଥିବା ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ହରିୟାଣା ଓ ପଞ୍ଜାବରେ ଭାରତୀୟ ସେନାର ୨୮ କଂପାନୀ ଅର୍ଦ୍ଧସାମରିକ ବାହିନୀ ଯବାନ ମୁତୟନ ହୋଇଛନ୍ତି।
ହରିୟାଣାର ଡିଜିପି କହିଛନ୍ତି, “ରୋହତକ୍ ଜେଲ ନିକଟରେ ୨୩ କଂପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି। ଏହା ସହ ରୋହତକ୍, ଶୀର୍ଷା, ଅମ୍ବଲା ଓ ପଞ୍ଚକୁଲା ସହ ଅନ୍ୟ ଜେଲରେ ୧୪୪ ଧାରା ଜାରି କରାଯାଇଛି।”
ରୋହତକ ରେଞ୍ଜର ଆଇଜି କହିଛନ୍ତି,“ରାମ ରହିମଙ୍କ ବିରୋଧରେ ଆଜି ଦଣ୍ଡବିଧାନ ଶୁଣାଣିକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦଣ୍ଡ ଘୋଷଣା କରିବାକୁ ଥିବା ବିଚାରପତିଙ୍କୁ କଡ଼ା ସୁରକ୍ଷା ଦିଆଯାଇଛି। ଏହା ସହ ସେମାନଙ୍କ ଘରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ସାମ୍ବାଦିକଙ୍କ ସୁରକ୍ଷା ସହ ସେମାନଙ୍କ କଭରେଜ୍ ସ୍ଥାନ ମଧ୍ୟ ଧାର୍ଯ୍ୟ କରାଯାଇଛି। ଡେରାର କୌଣସି ସଦସ୍ୟଙ୍କୁ ରୋହତକ ସହରକୁ ଯିବା ଲାଗି ଅନୁମତି ଦିଆଯିବ ନାହିଁ।”
ରୋହତକ ଜେଲର ଡେପୁଟି କମିଶନର ଅତୁଲ କୁମାର କହିଛନ୍ତି,“ରୋହତକ୍ ଜେଲରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସେଠାରେ ମୃତୟନ ଥିବା ପୋଲିସ୍ ଓ ଅର୍ଦ୍ଧସାମରିକ ଯବାନ ଯେ କୌଣସି ସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ରୋହତକ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଯାଞ୍ଚ କରାଯାଉଛି। ପରିଚୟ ପତ୍ର ନଥିବା ବ୍ୟକ୍ତିଙ୍କୁ ସହରକୁ ଭିତରକୁ ଛଡ଼ାଯାଉନାହିଁ।”
ପରିସ୍ଥିତି ଉପରେ ନଜର ରଖିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ହରିୟାଣା ଓ ପଞ୍ଜାବରେ ଇଣ୍ଟରନେଟ୍ ସେବା ୨୯ ତାରିଖ ଅର୍ଥାତ୍ ମଙ୍ଗଳବାର ୧୧ଟା ୩୦ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଏଥିସହ ରୋହତକରେ ସମସ୍ତ ସ୍କୁଲ ଓ କଲେ ବନ୍ଦ ରଖିବାକୁ ଘୋଷଣା କରାଯାଇଛି।
୨୦୦୨ରେ ଦୁଇ ଜଣ ଅନୁଗାମୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗତ ଶୁକ୍ରବାର ରାମ୍ ରହିମ୍ ପଞ୍ଚକୁଲା କୋର୍ଟରେ ଦୋଷୀସାବ୍ୟସ୍ତ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।