ମୂଷା ଖାଇଗଲେ ଏକ୍ସ ରେ ମେସିନ୍‌!

ପାଟନା: ବିହାରରେ ପୁଣି ଥରେ ମୂଷାଙ୍କ ଚମତ୍କାରିତା ଠାବ କରିଛନ୍ତି ସରକାରୀ କର୍ମଚାରୀ। କେଇ ବର୍ଷ ତଳେ ସେମାନେ ଲକ୍ଷଲକ୍ଷ ଟଙ୍କାର ବିଦେଶୀ ମଦ ପିଇ ଦେଇଥିଲେ ବୋଲି ଅବକାରୀ ବିଭାଗର କର୍ମଚାରୀମାନେ ରିପୋର୍ଟ କରିଥିଲେ। ଏବେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସୂଚନା ଅନୁସାରେ ମୂଷାମାନେ ଗୋଟିଏ ସରକାରୀ ହସ୍ପିଟାଲରେ ଲାଗିଥିବା ୨୨ ଲକ୍ଷ ଟଙ୍କା ମୂଲ୍ୟର ଏକ ଏକ୍ସ ରେ ମେସିନ୍‌କୁ ମଧ୍ୟ ଚୋବେଇ ଖାଇଦେଇଛନ୍ତି। ରାଷ୍ଟ୍ରୀୟ ଜନତା ଦଳର ଜଣେ ନେତା ଏହି ହସ୍ପିଟାଲକୁ […]

XRAY

XRAY

Debendra Prusty
  • Published: Friday, 24 December 2021
  • Updated: 24 December 2021, 01:00 PM IST

Sports

Latest News

ପାଟନା: ବିହାରରେ ପୁଣି ଥରେ ମୂଷାଙ୍କ ଚମତ୍କାରିତା ଠାବ କରିଛନ୍ତି ସରକାରୀ କର୍ମଚାରୀ। କେଇ ବର୍ଷ ତଳେ ସେମାନେ ଲକ୍ଷଲକ୍ଷ ଟଙ୍କାର ବିଦେଶୀ ମଦ ପିଇ ଦେଇଥିଲେ ବୋଲି ଅବକାରୀ ବିଭାଗର କର୍ମଚାରୀମାନେ ରିପୋର୍ଟ କରିଥିଲେ। ଏବେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସୂଚନା ଅନୁସାରେ ମୂଷାମାନେ ଗୋଟିଏ ସରକାରୀ ହସ୍ପିଟାଲରେ ଲାଗିଥିବା ୨୨ ଲକ୍ଷ ଟଙ୍କା ମୂଲ୍ୟର ଏକ ଏକ୍ସ ରେ ମେସିନ୍‌କୁ ମଧ୍ୟ ଚୋବେଇ ଖାଇଦେଇଛନ୍ତି।

ରାଷ୍ଟ୍ରୀୟ ଜନତା ଦଳର ଜଣେ ନେତା ଏହି ହସ୍ପିଟାଲକୁ ପରିଦର୍ଶନ କରି ଫେରିବା ପରେ ଏପରି କଥା ପ୍ରଘଟ କରିଛନ୍ତି। ବିହାରରେ ଏବେ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର କ୍ଷମତାସୀନ ଅଛି। ବିରୋଧୀ ଦଳରେ ଅଛି ରାଷ୍ଟ୍ରୀୟ ଜନତା ଦଳ। ଏହି ଦଳର ସ୍ଥାନୀୟ ବିଧାୟକ ସତୀଶ କୁମାର ଜାହାନାବାଦ ଜିଲ୍ଲାର ମଖଦୁମପୁର ସରକାରୀ ହସ୍ପିଟାଲ ଗସ୍ତ କରିବା ପରେ କହିଛନ୍ତି ଯେ ତାଙ୍କ ଅଞ୍ଚଳର ରୋଗୀମାନଙ୍କର ଏକ୍ସ ରେ କରିବା ପାଇଁ ହସ୍ପିଟାଲ ବାହାରେ ଖୋଲିଥିବା ଘରୋଇ ସଂସ୍ଥାଗୁଡ଼ିକୁ ପଠାଯାଉଥିଲା। ଏ ସଂପର୍କରେ ବାରମ୍ବାର ଅଭିଯୋଗ ପାଇବା ପରେ ସେ ସରଜମିନ ତଦନ୍ତ କରିବାକୁ ମଖଦୁମପୁର ହସ୍ପିଟାଲ ଗସ୍ତ କରିଥିଲେ। ସେଠାକାର ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ତାଙ୍କୁ କହିଥିଲେ ଯେ ମୂଷାମାନେ ଏକ୍ସ ରେ ମେସିନ୍‌କୁ ଖାଇଯିବା ଫଳରେ ତାହା କାମ କରୁନାହିଁ। ମେସିନର ଦାମ ୨୨ ଲକ୍ଷ ଟଙ୍କା ଥିଲା।

ସେଠାରୁ ଫେରି ବିଧାୟକ ସତୀଶ କୁମାର ପ୍ରକୃତ ମୂଷାମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ପ୍ରକୃତ ମୂଷା ହେଲେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିହାରରେ ଅନେକ ସମୟରେ ଏହିପରି ମୂଷାମାନେ ଅନେକ ସରକାରୀ ସଂପତ୍ତି ଖାଇ ହଜମ କରିବାର ରିପୋର୍ଟ ରହିଛି। ୨୦୧୭ ମସିହା ମେ ମାସରେ ବିହାର ପୁଲିସ ଓ ଦେୱାନୀ ପ୍ରଶାସନ ବିଭିନ୍ନ ଅଦାଲତରେ ସତ୍ୟପାଠ ଦାଖଲ କରି କହିଥିଲେ ଯେ ରାଜ୍ୟର ବିଭିନ୍ନ ପୁଲିସ ଥାନାରେ ଜମା ରହିଥିବା ଲକ୍ଷଲକ୍ଷ ଟଙ୍କା ମୂଲ୍ୟର ଜବତ ବିଦେଶୀ ମଦକୁ ମୂଷାମାନେ ପିଇ ଦେଇଛନ୍ତି। ଏହି ସତ୍ୟପାଠ ଖବର ପ୍ରକାଶ ପାଇବା ପରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଏହି ନିଶାଖୋର୍‌ ମୂଷାମାନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କଠାରେ ଦାବୀ କରିଥିଲେ।

ଏବେ ମୂଷାମାନେ ଏକ୍ସ ରେ ମେସିନ ଖାଇଯିବା କଥା ପଦାକୁ ଆସିବା ପରେ ଆରଜେଡି ମୁଖପାତ୍ର ଋତୁ ଜୟସ୍ୱାଲ କହିଛନ୍ତି ଯେ ମୂଷାମାନେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଚେୟାରକୁ ମଧ୍ୟ ଖାଇବାରେ ଲାଗିଛନ୍ତି। ଖୁବ ଶୀଘ୍ର ସେ ଚେୟାରରୁ ଗଳି ପଡ଼ିବେ। ତେବେ ଏହାର ଜବାବ ଦେବାକୁ ଯାଇ ନୀତୀଶଙ୍କୁ ସଂଯୁକ୍ତ ଜନତା ଦଳର ମୁଖ୍ୟ ମୁଖପାତ୍ର ନୀରଜ କୁମାର କହିଛନ୍ତି ଯେ ଆରଜେଡି ଏମିତି ଖେଳ ଖେଳିବା ବନ୍ଦ କରୁ। ଏନଡିଏ ସରକାର ୫ ବର୍ଷ ପୂରଣ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos