ରାଜସ୍ଥାନ: କଂଗ୍ରେସ ବିଜୟର ପାଇଲଟ୍‌ ସଚିନ୍‌

ଜୟପୁର: ସଚିନ୍‌ ପାଇଲଟ୍‌। ରାଜସ୍ଥାନରେ କଂଗ୍ରେସ ସରକାର କଲେ ହୁଏତ ସେ ମୁଖ୍ୟମନ୍ତ୍ରୀ ନହୋଇପାରନ୍ତି। ତାଙ୍କଠାରୁ ଅଧିକ ବୟସ୍କ ଏବଂ ଅନୁଭୂତି ସମ୍ପନ୍ନ ଅଶୋକ ଗେହଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ଏ ବିଜୟର ପାଇଲଟ୍‌ କଂଗ୍ରେସ ଅଧ୍ୟକ୍ଷ ରାହୁଲ ନୁହେଁ, ବରଂ ଯୁବ କଂଗ୍ରେସ କର୍ମୀଙ୍କ ଆଦର୍ଶ ସଚିନ୍‌ ପାଇଲଟ୍‌ ବୋଲି ମତ ପ୍ରକାଶ ପାଇଛି। ଯେ କୌଣସି ଗାଁର ଯେ କୌଣସି ଘର ହେଉ ଅଥବା କୌଣସି ଇଂରାଜୀ […]

sachin

Hemant Lenka
  • Published: Tuesday, 11 December 2018
  • , Updated: 11 December 2018, 08:41 PM IST

ଜୟପୁର: ସଚିନ୍‌ ପାଇଲଟ୍‌। ରାଜସ୍ଥାନରେ କଂଗ୍ରେସ ସରକାର କଲେ ହୁଏତ ସେ ମୁଖ୍ୟମନ୍ତ୍ରୀ ନହୋଇପାରନ୍ତି। ତାଙ୍କଠାରୁ ଅଧିକ ବୟସ୍କ ଏବଂ ଅନୁଭୂତି ସମ୍ପନ୍ନ ଅଶୋକ ଗେହଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ଏ ବିଜୟର ପାଇଲଟ୍‌ କଂଗ୍ରେସ ଅଧ୍ୟକ୍ଷ ରାହୁଲ ନୁହେଁ, ବରଂ ଯୁବ କଂଗ୍ରେସ କର୍ମୀଙ୍କ ଆଦର୍ଶ ସଚିନ୍‌ ପାଇଲଟ୍‌ ବୋଲି ମତ ପ୍ରକାଶ ପାଇଛି।

ଯେ କୌଣସି ଗାଁର ଯେ କୌଣସି ଘର ହେଉ ଅଥବା କୌଣସି ଇଂରାଜୀ ଟିଭି ଚାନେଲ୍‌ର ଷ୍ଟୁଡିଓ ହେଉ,ସହରୀ ସଚିନ୍‌ ସହଜ ମୁଦ୍ରାରେ ଥାଆନ୍ତି। ୨୦୧୩ରେ ରାଜସ୍ଥାନରେ କ୍ଷମତାରୁ ହଟିଥିବା କଂଗ୍ରେସ ପୁଣିଥରେ କ୍ଷମତାକୁ ଆସିବା କେବଳ ସଚିନ୍‌ଙ୍କ ଲୋକପ୍ରିୟତା ପାଇଁ ସମ୍ଭବ ହୋଇପାରିଛି ବୋଲି ଅନେକ ବିଶ୍ୱାସ କରନ୍ତି। ଏପରିକି ତାଙ୍କ ନେତୃତ୍ୱ ପ୍ରତି ଭୟଭୀତ ବିଜେପି ତାଙ୍କ ବିରୋଧରେ ଦଳର ଏକମାତ୍ର ମୁସଲିମ୍‌ ପ୍ରାର୍ଥୀ ଦେଇଥିଲେ ମଧ୍ୟ ସେ ୫୪ ହଜାରରୁ ଉର୍ଦ୍ଧ୍ଵ ଭୋଟ ବ୍ୟବଧାନରେ ଜିତି ତାଙ୍କ ବିପୁଳ ଲୋକପ୍ରିୟତାର ପ୍ରମାଣ ଦେଇଛନ୍ତି।

୨୦୧୩ ମସିହାରେ ବିଜେପିଠାରୁ ଶୋଚନୀୟ ପରାଜୟ ପରେ ସଚିନ୍‌ଙ୍କ ହାତକୁ ରାଜସ୍ଥାନ କଂଗ୍ରେସ ସଭାପତିର ଦାୟିତ୍ୱ ଆସିଥିଲା। କାରଣ ଏହି ନିର୍ବାଚନରେ ବିଜେପି ୧୬୩ଟି ଆସନରେ ଜିତିଥିଲା ଏବଂ କେନ୍ଦ୍ରରେ କ୍ଷମତାସୀନ ଥିବା କଂଗ୍ରେସକୁ ମାତ୍ର ୨୧ଟି ଆସନ ମିଳିଥିଲା। ୨୦୦୦ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସ୍ୱର୍ଗତ କଂଗ୍ରେସ ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜେଶ ପାଇଲଟ୍‌ଙ୍କ ପୁଅ ସଚିନ୍‌ ଜାତୀୟ ରାଜନୀତିରେ ଯେତିକି ମୁଖର, ତୃଣମୂଳ ସ୍ତରରେ ସେତିକି ପ୍ରବୀଣ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହୁଏ।

ରାଜ୍ୟ ସଂଗଠନର ଦାୟିତ୍ୱ ନେବାପରେ ସେ ସମଗ୍ର ରାଜସ୍ଥାନର କୋଣ ଅନୁକୋଣ ସମେତ ପ୍ରାୟ ୫ ଲକ୍ଷ କିଲୋମିଟର ବୁଲି ତୃଣମୂଳ ସ୍ତରରେ ତାକୁ ମଜଭୁତ କରିଥିଲେ, ଯାହା ଆଜି ଦଳକୁ ସୁଫଳ ଦେଇଛି। କଂଗ୍ରେସର ‘ୟଙ୍ଗ୍‌ ଗନ୍‌’ କୁହାଯାଉଥିବା ସଚିନ୍‌ ଦୁଇଟି ଅବତାରରେ ଆସନ୍ତି। କମ୍‌ ବୟସର ହୋଇଥିଲେ ମଧ୍ୟ ସେ ଜେକେ ଜଣେ ଧୂରୀଣ ରାଜନୀତିଜ୍ଞ, ଏକଥା ତାଙ୍କ ସମାଲୋଚକମାନେ ମଧ୍ୟ ସ୍ଵୀକାର କରନ୍ତି।

୨୦୦୪ରେ ମସିହାରେ ତାଙ୍କ ବାପାଙ୍କ ଆସନ ଦୌସାରୁ ନିର୍ବାଚିତ ହୋଇ ସବୁଠାରୁ କମ୍‌ ବୟସର ସାଂସଦ ହେବାର ଗୌରବ ବହନ କରନ୍ତି ସଚିନ। ୨୦୦୯ରେ ସେ ଆଜମେରରୁ ନିର୍ବାଚିତ ହୋଇଥିଲେ ଏବଂ ମନମୋହନ ସିଂହଙ୍କ ୟୁପିଏ-୨ ସରକାରରେ ବିଭିନ୍ନ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଥିଲେ। ଇଂରାଜୀ ସାହିତ୍ୟରେ ଏମଏ ଡିଗ୍ରୀଧାରୀ ପାଇଲଟ୍‌ ପ୍ରଥମେ ଦିଲ୍ଲୀ ବିବିସିରୁ କାର୍ଯ୍ୟ ଆରମ୍ଭ କରି କର୍ପୋରେଟ୍‌ ଜଗତରେ ପ୍ରବେଶ କରିଥିଲେ। ଏପରିକି ୧୯୯୫ ମସିହାରେ ସେ ଆମେରିକାରୁ ପାଇଲଟ୍‌ ଲାଇସେନ୍ସ ହାସଲ କରିଛନ୍ତି।

ଗତବର୍ଷ ଆଜିର ଦିନରେ ହିଁ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ରାହୁଲଙ୍କୁ ମିଳିବ ବୋଲି ନିଶ୍ଚିତ ହୋଇଥିଲା ଏବଂ ଏହାର ଠିକ୍‌ ବର୍ଷେ ପରେ ଏପରି ଅଭୂତପୂର୍ବ ସଫଳତାକୁ ସଚିନ୍‌ ରାହୁଲଙ୍କୁ ଉତ୍ସର୍ଗ କରିବା ତାଙ୍କ ବିନମ୍ର ଚରିତ୍ରକୁ ପ୍ରମାଣିତ କରିଛି। ଆଜିର ବିଜୟ ରାହୁଲଙ୍କୁ ଆମର ଉପହାର ବୋଲି ସେ କହିଛନ୍ତି। ତାଙ୍କ ପ୍ରତି ଲୋକଙ୍କ ଗ୍ରହଣୀୟତା ବୃଦ୍ଧି ପାଇଥିବାରୁ ଭବିଷ୍ୟତରେ ସେ କଂଗ୍ରେସର ଜାତୀୟ ପୋଷ୍ଟରବୟ ହେଲେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ଚର୍ଚ୍ଚା ହେଉଛି।

Related story