ନୂଆଦିଲ୍ଲୀ: ୱାଘା ବର୍ଡରରେ ପାକିସ୍ତାନ ଅଟକାଇ ରଖିଥିବା ‘ସମଝୌତା ଏକ୍ସପ୍ରେସ୍’ ଶେଷରେ ଭାରତ ପହଞ୍ଚି ପାରିଛି। ପୂର୍ବରୁ କୂଟନୈତିକ ସମ୍ପର୍କ କାଟିଥିବା ପାକିସ୍ତାନ ଏହି ‘ସମଝୌତା ଏକ୍ସପ୍ରେସ୍’ ଚଳାଚଳକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଏକ୍ସପ୍ରେସ୍ ସୀମା ଅତିକ୍ରମ କରିବା ଆଗରୁ ୱାଘାଠାରେ ହିଁ ଅଟକାଇ ଦେଇଥିଲା ଏବଂ କହିଥିଲା ପାକିସ୍ତାନର ଡ୍ରାଇଭର ଏବଂ କ୍ରୁ ଭାରତ ଯିବେନାହିଁ। ତେଣୁ ଭାରତ ନିଜର ଡ୍ରାଇଭର ଏବଂ କ୍ରୁ ପଠାଇବାକୁ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା। ଧାରା ୩୭୦ର ଉଚ୍ଛେଦକୁ ବିରୋଧ କରି ପାକିସ୍ତାନ ଏହି ଟ୍ରେନ୍ ସେବା ବନ୍ଦ କରିଥିବା ଜଣାପଡ଼ିଛି।
ତେବେ ପୂର୍ବରୁ ପାକିସ୍ତାନ ଏହି ଟ୍ରେନ୍ ସେବା ବନ୍ଦ କରିବ ବୋଲି ସୂଚନା ଦେଇନଥିବାରୁ ଉଭୟ ୱାଘା ଏବଂ ଅଟାରୀ ପଟେ ଅନେକ ଯାତ୍ରୀ ଅଟକି ରହିଛନ୍ତି। ଅଟାରୀ ରେଲୱେ ଷ୍ଟେସନ୍ ସୁପରିଟେଣ୍ଡେଣ୍ଟ ଅରବିନ୍ଦ କୁମାର ଦେଇଥିବା ସୂଚନା ଅନୁଯାୟୀ, ଆଜି ପାକିସ୍ତାନୀ ଡ୍ରାଇଭର ‘ସମଝୌତା ଏକ୍ସପ୍ରେସ୍’କୁ ଭାରତରେ ଛାଡ଼ିବାର ପାଳି ଥିଲା। କିନ୍ତୁ ପାକିସ୍ତାନ ତାହା କରିନାହିଁ।
ପାକିସ୍ତାନ ସୁରକ୍ଷା କାରଣ ଦର୍ଶାଇ ତା’ର ଟିମ୍ ଭାରତ ଯିବେନି ବୋଲି କହିଥିଲା। ଏହାପରେ ଭାରତ ପଟୁ ଏକ ଇଞ୍ଜିନ୍ ସହିତ ଭାରତୀୟ ଡ୍ରାଇଭର ଏବଂ କ୍ରୁ ପଠାଯାଇ ୱାଘାରୁ ଏହି ଟ୍ରେନ୍କୁ ଭାରତ ଅଣାଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ପାକିସ୍ତାନ କୂଟନୀତିକ ସମ୍ପର୍କ କାଟି ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭାରତ ପଠାଇଦେଇଛି ଏବଂ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଛି। ପାକିସ୍ତାନ ଭାରତୀୟ ଫିଲ୍ମକୁ ମଧ୍ୟ ବ୍ୟାନ୍ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।