ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ଟ୍ରାକ୍ଟର ରାଲି ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଚାଷୀଙ୍କ ଟ୍ରାକ୍ଟର ରାଲି ଆଇନ୍ ଓ ଶୃଙ୍ଖଳରା ବିଷୟ ହୋଇଥିବାରୁ ଏ ବାବଦରେ ଦିଲ୍ଲୀ ପୁଲିସ ନିଷ୍ପତ୍ତି ନେବା ଦରକାର। କୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ କହିଛନ୍ତି। ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୦ରେ ହେବ।
ଶୁଣାଣି ବେଳେ ପ୍ରଧାନ ବିଚାପତି ଆହୁରି କହିଛନ୍ତି ଯେ କାହାକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବା ଉଚିତ ତାହା ପୁଲିସ ନିଷ୍ପତ୍ତି ନେବ। ଏହା ପୁଲିସର କାମ। ଆମେ ଏଥିରେ ହସ୍ତକ୍ଷେପ କରିପାରିବୁ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦିଲ୍ଲୀ ପୁଲିସ କ'ଣ ନିଜ କ୍ଷମତା କଥା ଜାଣିନି? କୋର୍ଟ କ୍ଷମତା ବାବଦରେ କହିବେ କି ବୋଲି କହିଛନ୍ତି ପ୍ରଧାନ ବିଚାରପତି।
ସୂଚନାଯୋଗ୍ୟ, ୫୪ ଦିନ ହେବ ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ଚାଷୀ ରାଜଧାନୀରେ ଟ୍ରାକ୍ଟର ରାଲି କରିବେ ବୋଲି କହିଛନ୍ତି। ଗଣତନ୍ତ୍ର ଦିବସ ବେଳେ ତିିନି କୃଷି ଆଇନକୁ ବିରୋଧ କରିବାକୁ ଯାଇ ଟ୍ରାକ୍ଟର ରାଲି ପାଇଁ ଅନୁମତି ନଦେବାକୁ ଗୋଟିଏ ପଟେ ଆବେଦନ ହୋଇଥିଲା। ଅନ୍ୟପଟେ ଦିଲ୍ଲୀର ରାମଲୀଳା ପଡ଼ିଆରେ ରାଲି ପାଇଁ ଅନୁମତି ମାଗିଛନ୍ତି ଆନ୍ଦୋଳନରତ ଚାଷୀ।