ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି। ଏହି ସମୟରେ ବିଭିନ୍ନ ରାଜ୍ୟରେ ଫସିଥିବା ଅପ୍ରବାସୀ ଶ୍ରମିକମାନେ ରାସ୍ତାରେ ଭିଡ଼ ଜମାଇ ଘରକୁ ଯିବାକୁ ଡହଳ ବିକଳ ହେଉଛନ୍ତି। ଫଳରେ କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱକୁ ଯେଉଁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି, ସେ ଯୋଜନା ଏକ ପ୍ରକାରର ଫସର ଫାଟିବାକୁ ବସିଛି।
ଏହାକୁ ଦୃଷ୍ଟିରେ ରଖି ଆଗତ ହୋଇଥିବା ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି। ଅପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର କ’ଣ ସବୁ ବ୍ୟବସ୍ଥା କରିଛନ୍ତି, ତା’ର ଜବାବ ଆସନ୍ତାକାଲି ସୁଦ୍ଧା ଦାଖଲ କରିବାକୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି।
ଭିଡିଓ କନଫରେନ୍ସିଂ ଜରିଆରେ ଚାଲିଥିବା ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କହିଛନ୍ତି, “ଶ୍ରମିକମାନେ ଭୟ ଓ ଆତଙ୍କିତ ହେବାରେ ଲାଗିଛନ୍ତି। ଏଭଳି ଭୟ ଓ ଆତଙ୍କ କରୋନା ଭାଇରସ ଠାରୁ ମଧ୍ୟ ଅଧିକ ବିପଦଜ୍ଜନକ। ସରକାର ଏହି ସମସ୍ୟାର ସମାଧାନ ପାଇଁ ଯଦି କିଛି ବ୍ୟବସ୍ଥା କରିଛନ୍ତି, ତା’ହେଲେ କୋର୍ଟ ପୁଣି କିଛି ନିର୍ଦ୍ଦେଶ ଦେଇ ଏଭଳି ଏକ ଘଡ଼ିଷନ୍ଧି ମୁହୂର୍ତ୍ତରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚାହୁଁ ନାହାନ୍ତି।”
ଏହି ଖଣ୍ଡପୀଠରେ ଜଷ୍ଟିସ୍ ବୋବଡେଙ୍କ ବ୍ୟତୀତ ଜଷ୍ଟିସ ଏଲ ନାଗେଶ୍ୱର ରାଓ ମଧ୍ୟ ରହିଥିଲେ। ବିଭିନ୍ନ ସ୍ଥାନରେ ଫସିଥିବା ଶ୍ରମିକମାନଙ୍କୁ ଉପଯୁକ୍ତ ଖାଦ୍ୟ, ପାଣି ଓ ପାରିଶ୍ରମିକ ଯୋଗାଇ ଦେବାକୁ ଦାବି କରି ଦୁଇଟି ଆବେଦନ କୋର୍ଟରେ କରାଯାଇଥିଲା।
ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, “କରୋନା ଭାଇରସର ସଂକ୍ରମଣକୁ ରୋକିବାକୁ ହେଲେ ଅପ୍ରବାସୀ ଶ୍ରମିକମାନଙ୍କୁ ଅଟକାଇବାକୁ ପଡ଼ିବ। ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରିଛନ୍ତି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।