ଅଯୋଧ୍ୟା: ଡିସେମ୍ବର ୬ ତାରିଖରେ ବାବ୍ରି ଭଙ୍ଗାକୁ ୨୭ ବର୍ଷ ପୁରିବାକୁ ଥିବାବେଳେ ଏହା ପୂର୍ବରୁ ଅଯୋଧ୍ୟାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂର୍ବରୁ ଏହି ପ୍ରସଙ୍ଗ ବିବାଦୀୟ ରହିଥିବାବେଳେ ସୁପ୍ରିମ୍କୋର୍ଟଙ୍କ ଅଯୋଧ୍ୟା ରାୟ ପରେ ଏହି ସହରରେ ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଚିନ୍ତିତ ରହିଛନ୍ତି। ରାମଜନ୍ମଭୂମି ଚାରିପଟ ରେଡ୍ ଜୋନ୍ ସୁରକ୍ଷା ଅଧୀନରେ ଆସୁଛି। ଏହା ସୁରକ୍ଷା ଆହୁରି ବଢ଼ାଇ ଦିଆଯିବା ସହ ଅନ୍ୟ ପ୍ରମୁଖ ଧାର୍ମିକ ସ୍ଥାନର ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଛି।
ଅଯୋଧ୍ୟା ଜିଲ୍ଲା ମାଜିଷ୍ଟ୍ରେଟ୍ ଅନୁଜ ଝା କହିଛନ୍ତି, “ଏହି ମନ୍ଦିର ସହର ଉପରେ ଆମେ କଡ଼ା ନଜର ରଖିଛୁ। ବାବ୍ରୀ ମସ୍ଜିଦ୍ ଭଙ୍ଗାଦିନ ପର୍ଯ୍ୟନ୍ତ ସୁରକ୍ଷା କଡ଼ାକଡ଼ି ରହିବ।”
ସେ ଆହୁରି ମଧ୍ୟ କହିଛନ୍ତି, ଆମର ଆଗାମୀ ଆହ୍ୱାନ ରହିବ ଡିସେମ୍ବର ୬ରେ ଶାନ୍ତି ଏବଂ ଭାଇଚାରା ବଜାୟ ରଖିବା। ଆମେ ଜାଣିଛୁ ଅଯୋଧ୍ୟା ଲୋକେ ଶାନ୍ତିପ୍ରିୟ ଏବଂ ସେମାନେ ତାହା ହିଁ ବଜାୟ ରଖିବେ।
ସେ କହିଛନ୍ତି ଅଯୋଧ୍ୟା ପାଇଁ ୪ ପ୍ରକାର ଜୋନ୍ର ସୁରକ୍ଷା ରହିଛି। ବିବାଦୀୟ ୨.୭୭ ଏକର ବିବାଦୀୟ ସ୍ଥଳରେ ରେଡ୍ ଜୋନ୍, ସାରା ସହରରେ ୟେଲୋ ଜୋନ୍ ଏବଂ ପୁରା ଜିଲ୍ଲାରେ ଗ୍ରୀନ୍ ଜୋନ୍ ସୁରକ୍ଷା ରହିଛି। ସୁପ୍ରିମ୍କୋର୍ଟଙ୍କ ରାୟ ପରେ ବିବାଦୀୟ ସ୍ଥଳକୁ ଯାଉଥିବା ରାସ୍ତା ସବୁ ଉପରେ ନଜର ରହିଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯେପରିକି ହନୁମାନ ଗଡ଼ି, କନକ ଭବନ ଏବଂ ରାମ କୀ ପୈଦୀ ଆଦିରେ ଶନିବାରଠାରୁ ସୁରକ୍ଷା ବଢ଼ାଇଦିଆଯାଇଛି।
ଅଯୋଧ୍ୟା ମାଜିଷ୍ଟ୍ରେଟ୍ ଆହୁରି ମଧ୍ୟ କହିଛନ୍ତି, ନଭେମ୍ବର ୮ ପରଠାରୁ ଲାଗୁ ହୋଇଥିବା ୧୪୪ ଧାରା ଡିସେମ୍ବର ୨୮ ଯାଏ ବଳବତ୍ତର ରହିବ। ଏହି ଧାରା ବଳରେ ୪ରୁ ଅଧିକ ଲୋକ ସମବେତ ବା ଏକାଠି ହୋଇପାରିବେ ନାହିଁ। ସେ କହିଛନ୍ତି, ଅଯୋଧ୍ୟାରୁ ଯଦି ଭଲ ବାର୍ତ୍ତା ଯିବ ସାରା ଦେଶରେ ଶାନ୍ତି ଅବ୍ୟାହତ ରହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।