ନୂଆଦିଲ୍ଲୀ: ଅଳ୍ପ କିଛି ଦିନର ନୀରବତା ପରେ ପୁଣି ଥରେ ଉପତ୍ୟାକାରେ ମୁହାଁମୁହିଁ ସୁରକ୍ଷାବଳ ଏବଂ ଆତଙ୍କବାଦୀ । ଜମ୍ମୁ ଓ କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ଆଜି ହୋଇଥିବା ଏନ୍କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କୁପୱାଡ଼ା ଜିଲ୍ଲାର ହଦ୍ୱାରା ଅଞ୍ଚଳରେ ଆତଙ୍କବାଦୀ
ଲୁଚି ରହିଥିବା ନେଇ ସୁରକ୍ଷାବାହିନୀକୁ ସୂଚନା ମିଳିଥିଲା । ଏହାପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ସେନା। ଅଞ୍ଚଳକୁ ଚାରିପଟୁ ଘେରି ଯାଇଥିଲେ ଯବାନ। ତେବେ ତଲାସି ବେଳେ ସୁରକ୍ଷାବାହିନୀ ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏହା ପରେ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଯାହାର ଜବାବ ଦେଇଥିଲେ ଯବାନ।
ଶେଷ ମୂହୁର୍ତ୍ତରେ ଆତ୍ମ ସମର୍ପଣ ପାଇଁ କହିବା ସତ୍ତ୍ୱେ ମାନି ନ ଥିଲେ ଆତଙ୍କବାଦୀ। ଏବେ ଯାଏ ମିଳିଥିବା ସୂଚନା ମୁତାବକ, ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଜିଲ୍ଲାର ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରାଯାଇଛି । ଗତ ଦୁଇ ବର୍ଷ ତଳେ ଆତଙ୍କବାଦୀ ବୁରାହନ୍ୱାନୀ ଏନ୍କାଉଣ୍ଟର ପରେ ଅପରେସନ୍ ଅଲ ଆଉଟ୍ ଆରମ୍ଭ କରିଛି ସେନା। ଏହି ଧାରାରେ ତିନି ଶହରୁ ଅଧିକ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରାଗଲାଣି।