'ଏବେ ବି ଶରଦ ପାଓ୍ୱାର ହୋଇପାରନ୍ତି ପ୍ରଧାନମନ୍ତ୍ରୀ’

ମୁମ୍ୱାଇ: ଏନସିପି ସୁପ୍ରିମୋ ଏବେ ବି ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ୧୯୯୦ରେ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଓ୍ୱାରଙ୍କ ପାଖରେ ଦୁଇଥର ଥିଲା। ହେଲେ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଏଯାଏ ପୂରଣ ହୋଇନି। ଏବେ ବି କିନ୍ତୁ ଏହି ସ୍ୱପ୍ନ ପୂରଣ ହୋଇପାରିବ। ଏନସିପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ ପଟେଲ ଏହା କହିଛନ୍ତି। ୧୨ ତାରିଖରେ ଶରଦ ପାଓ୍ୱାର ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସାମ୍ୱାଦିକଙ୍କ ସହ କଥା ହେଲା ବେଳେ ପଟେଲ ଏହା […]

sharad-pawar

Subhransu Sekhar
  • Published: Sunday, 13 December 2020
  • , Updated: 13 December 2020, 02:26 PM IST

ମୁମ୍ୱାଇ: ଏନସିପି ସୁପ୍ରିମୋ ଏବେ ବି ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ୧୯୯୦ରେ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଓ୍ୱାରଙ୍କ ପାଖରେ ଦୁଇଥର ଥିଲା। ହେଲେ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଏଯାଏ ପୂରଣ ହୋଇନି। ଏବେ ବି କିନ୍ତୁ ଏହି ସ୍ୱପ୍ନ ପୂରଣ ହୋଇପାରିବ। ଏନସିପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ ପଟେଲ ଏହା କହିଛନ୍ତି। ୧୨ ତାରିଖରେ ଶରଦ ପାଓ୍ୱାର ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସାମ୍ୱାଦିକଙ୍କ ସହ କଥା ହେଲା ବେଳେ ପଟେଲ ଏହା କହିଛନ୍ତି।

ଦେଶରେ ବିଜେପି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମଜବୁତ ହୋଇ ଚାଲିଛି। କଂଗ୍ରେସ ଦୁର୍ବଳ ହୋଇ ଚାଲିଛି। ମୋଦିଙ୍କୁ କାଉଣ୍ଟର ପାଇଁ ଶରଦ ପାଓ୍ୱାରଙ୍କ ଭଳି ଚେହେରା ଦରକାର। ତେଣୁ ଶରଦ ଏନଡିଏର ବିରୋଧୀ ୟୁପିଏରେ ଚେୟାରମ୍ୟାନ୍ ହେଲେ ହିଁ ବିଜେପିର ପତିଆରା ହ୍ରାସ ପାଇବ। ଯଦିଓ ଏନସିପି ଏହି ଚର୍ଚ୍ଚାରେ ବିରାମ ମାରିଛି ହେଲେ ପଟେଲଙ୍କ ମନ୍ତବ୍ୟ ପୁଣିଥରେ ରାଜନୀତିର ଖୋରାକ୍ ଯୋଗାଇଛି।

ଶରଦଙ୍କ ପଛରେ ମହାରାଷ୍ଟ୍ର ଛିଡ଼ା ହୋଇଛି। ତେଣୁ ଶରଦଙ୍କ ସ୍ୱପ୍ନ ପୂରଣ ହୋଇପାରିବ ବୋଲି ପଟେଲ କହିଛନ୍ତି। ପଟେଲ କହିଛନ୍ତି ୧୯୯୧ରେ ରାଜୀବ ଗାନ୍ଧୀଙ୍କ ଦେହାନ୍ତ ପରେ କଂଗ୍ରେସ ନେତା ଶରଦ ପାଓ୍ୱାରଙ୍କ ନାଁକୁ ବିଚାର କରୁଥିଲେ। ଏମିତିକି ଦଳର ସଭାପତି ପାଇଁ ପାଓ୍ୱାର ହିଁ ଦାବିଦାର ଥିଲେ। ହେଲେ କଂଗ୍ରେସର ଦୋମୁହାଁ ନୀତି ପାଇଁ ପିଭି ନରସିମହା ରାଓ ପ୍ରଧାନମନ୍ତ୍ରୀ ହୋଇଥିଲେ। ହେଲେ ସେତେବେଳେ କିନ୍ତୁ ନରସିମହା ରାଓ ଅସୁସ୍ଥ ଥିଲେ ବୋଲି ପଟେଲ କହିଛନ୍ତି। ଲୋକସଭା ନିର୍ବାଚନରେ ବି ନରସିମହା ରାଓ ନିର୍ବାଚନ ଲଢ଼ିନଥିଲେ। ତେଣୁ ପାଓ୍ୱାରଙ୍କୁ ତଳକୁ ଖସାଇବା ପାଇଁ ନରସିମହା ରାଓଙ୍କୁ ମୋହରା କରାଯାଇଥିଲା ବୋଲି ପଟେଲ କହିଛନ୍ତି।

ସେହିପରି ୧୯୯୬ରେ କଂଗ୍ରେସ ମୋଟ୍ ୧୪୫ ଆସନରେ ବିଜୟୀ ହୋଇଥିଲା। ଏଚଡି ଦେବଗୌଡା, ମୁଲାୟମ ସିଂ ଯାଦବ, ଲାଲୁ ପ୍ରସାଦ ଯାଦବ ପ୍ରମୁଖ ନେତା ଶରଦଙ୍କୁ ପ୍ରଧାନମନ୍ତ୍ରୀ କରାଇବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ନରସିମହା ରାଓ ଶୁଣିନଥିଲେ ବୋଲି କହିଛନ୍ତି।

ନଗଦ ଚର୍ଚ୍ଚା ହେଉଛି ଶାରୀରିକ ଅସୁସ୍ଥତା ପାଇଁ ୟୁପିଏ ଅଧ୍ୟକ୍ଷା ପଦରୁ ସୋନିଆ ଗାନ୍ଧି ଖୁବ ଶୀଘ୍ର ଅବସର ନେବେ। ପୁତ୍ରମୋହରେ ଅନ୍ଧ ସୋନିଆ ଏହି ପଦରେ ତାଙ୍କ ଦାୟାଦ ରାହୁଲଙ୍କୁ ବସାଇବାକୁ ଚାହୁଁଥିଲେ। ହେଲେ ବର୍ଷର ଅଧାରୁ ଅଧିକ ଦିନ ବୈରାଗ୍ୟ ମନ୍ତ୍ର ନେଉଥିବା ରାହୁଲ ବାବା ଏଥିପାଇଁ ଅରାଜି ଅଛନ୍ତି। ତେଣୁ ଶାସକ ବିଜେପି ଓ ଏହାର ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିତ୍ୱକୁ ଚ୍ୟାଲେଞ୍ଜ ଦେବା ଭଳି ଜଣେ ଅନୁଭବୀ ରାଜନେତାଙ୍କୁ ୟୁପିଏର ଚେୟାରମ୍ୟାନ୍ ଆସନରେ ବସାଇବା ପାଇଁ କଂଗ୍ରେସ ସମେତ ସହଯୋଗୀ ଦଳମାନେ ଚାହୁଁଛନ୍ତି। ଏହି ସମୟରେ ପାୱାରଙ୍କ ନାଁ ଚର୍ଚ୍ଚାର କେନ୍ଦ୍ରରେ ରହିଛି।

ପାୱାରଙ୍କ ବ୍ୟତୀତ ୟୁପିଏ ଅଧ୍ୟକ୍ଷ ଆସନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ତେବେ ଟିଏମସି ସୁପ୍ରିମୋଙ୍କ ନେତୃତ୍ୱକୁ ଡିଏମକେ, ଏନସିପି ଆଦି ଦଳ ଗ୍ରହଣ କରି ନପାରନ୍ତି।

ପାଓ୍ୱାର ଦେଶର ରାଜନୀତିରେ ଜଣାଶୁଣା ଚେହେରା। ବରିଷ୍ଠ ନେତା ଭାବରେ ପ୍ରାୟତଃ ସମସ୍ତ ଦଳର ନେତାଙ୍କ ସହ ତାଙ୍କର ଯୋଗାଯୋଗ ରହିଛି। ମହାରାଷ୍ଟ୍ରରେ ବିଜେପି ସର୍ବାଧିକ ଆସନ ଜିତିଥିଲେ ମଧ୍ୟ ଶିବସେନାକୁ ନିଜ ସପକ୍ଷକୁ ଆଣି କଂଗ୍ରେସ ସହିତ ମହା ବିକାଶ ଅଘାଡ଼ି ମେଣ୍ଟ କରିବାରେ ପାଓ୍ୱାରଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ। ଖାସ୍ ଏନସିପି ସୁପ୍ରିମୋଙ୍କ ଗୋଟିଚାଳନା ଯୋଗୁ ମହାରାଷ୍ଟ୍ରରେ ବିଜେପି ବ୍ୟାକଫୁଟରେ  ରହିଛି।

ଯଦିଓ ୟୁପିଏର ଚେୟାରମ୍ୟାନ୍ ହେବା ନେଇ ଚର୍ଚ୍ଚାକୁ ଏନସିପି ଖଣ୍ଡନ କରିଛି ହେଲେ ପଟେଲଙ୍କ ମନ୍ତବ୍ୟ ୟୁପିଏ ଶରଦଙ୍କୁ ନେତା ଭାବରେ ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଛି।

Related story