ଭୁବନେଶ୍ୱର: ବଲିଉଡ୍ର ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପରଲୋକ ହୋଇଯାଇଛି। ଶନିବାର ବିଳମ୍ବିତ ରାତିରେ ଦୁବାଇରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା।
ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦୁବାଇ ଯାଇଥିଲେ। ସେଠାରେ ତାଙ୍କର ହୃଦ୍ଘାତରେ ପରଲୋକ ହୋଇଛି।
ଶ୍ରୀଦେବୀଙ୍କ ସହିତ ତାଙ୍କ ସ୍ୱାମୀ ବୋନୀ କାପୁର ଓ ଝିଅ ଖୁସୀ ମଧ୍ୟ ଦୁବାଇ ଯାଇଥିଲେ। ବଡ଼ ଝିଅ ଜାହ୍ନବୀ ସେମାନଙ୍କ ସହ ଯାଇ ନଥିଲେ। ଜଣେ ସଂପର୍କୀୟଙ୍କ ବାହାଘରରେ ଯୋଗ ଦେବା ପାଇଁ ସେ ପରିବାର ଲୋକଙ୍କ ସହ ସେଠାକୁ ଯାଇଥିଲେ।
୧୯୬୩ ମସିହା ଅଗଷ୍ଟ ୧୩ ତାରିଖରେ ତାମିଲନାଡୁର ଶିବକାସୀରେ ତାଙ୍କର ଜନ୍ମ ହୋଇଥିଲା। ଛୋଟ ବେଳୁ ହିଁ ସେ ଅଭିନୟ କ୍ଷେତ୍ରରେ ପାଦ ଦେଇଥିଲେ। ୧୯୬୭ ମସିହାରେ ଚାରି ବର୍ଷ ବୟସରେ ଶ୍ରୀଦେବୀ ତାମିଲ ଫିଲ୍ମ ‘ମରୁଗା’ର ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ୧୯୭୫ ମସିହାରେ ସେ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ। ‘ଜୁଲି’ ଫିଲ୍ମରେ ସେ ଶିଶୁକଳାକାର ଭାବେ କାମ କରିଥିଲେ।
ସେ ପ୍ରାୟ ୫ ଦଶକ ଧରି ଫିଲ୍ମ ଜଗତ ସହିତ ଜଡ଼ିତ ଥିଲେ। ସେ ତାମିଲ, ତେଲଗୁ, କନ୍ନଡ଼, ମଲୟାଲମ ଓ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି। ନିକଟରେ ସେ ‘ମମ୍’ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ।
‘ସଦ୍ମା’, ‘ଖୁଦା ଗବାହ’, ‘ମିଷ୍ଟର ଇଣ୍ଡିଆ’,‘ଚାନ୍ଦିନୀ’, ‘ନାଗୀନ’,‘ମିଷ୍ଟର ଇଣ୍ଡିଆ’, ‘ରାଜା’, ‘ଚାଲ୍ବାଜ୍’,‘ହୀରୋ’, ‘ଚାନ୍ଦିନୀ’, ‘ଲାଡ୍ଲା’ ଓ ‘ଜୁଦାଇ’ ଆଦି ଫିଲ୍ମରେ ଅଭିନୟ କରିଥିଲେ। ସେ ୬୦ରୁ ଅଧିକ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ।
‘ଚାଲ୍ବାଜ’ ଓ ‘ଲମ୍ହେ’ ଫିଲ୍ମ ପାଇଁ ସେ ଯଥାକ୍ରମେ ୧୯୯୦ ଓ ୧୯୯୨ରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ। ୧୯୯୧ ରେ ସେ ଏକ ତେଲଗୁ ଫିଲ୍ମ ପାଇଁ ଓ ୧୯୮୨ରେ ଏକ ତାମିଲ ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଏହା ସହିତ ସେ ଆଉ ଦୁଇ ଥର ମଧ୍ୟ ସ୍ୱତନ୍ତ୍ର ଭାବେ ଏହି ପୁରସ୍କାର ପାଇଥିଲେ।
୨୦୧୩ରେ ଭାରତ ସରକାର ତାଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାର ପ୍ରଦାନ କରିଥିଲେ।
ତାଙ୍କ ନିଧନ ଖବର ମିଳିବା ପରେ ବଲିଉଡ୍ର ସମସ୍ତ କଳାକାର ଦୁଃଖ ପ୍ରକାଶ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।