ଅହମଦାବାଦ: ଗୋଟିଏ ପରିବାରର ୬ ଜଣ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ୪ ଜଣ ଛୋଟ ଛୁଆ ରହିଛନ୍ତି। ଛୋଟ ଛୁଆଙ୍କ ମଧ୍ୟରୁ ଦୁଇ ଜଣଙ୍କ ବୟସ ୭ ଏବଂ ଅନ୍ୟ ଦୁଇ ଜଣଙ୍କ ବୟସ ୧୨ ବର୍ଷ। ଏହାବାଦ ଦୁଇ ଭାଇଙ୍କର ମୃତ ଦେହ ମଧ୍ୟ ପୁଲିସ ଉଦ୍ଦାର କରିଛି। ଜଣଙ୍କର ବୟସ ୪୦ ବର୍ଷ, ଅନ୍ୟ ଜଣଙ୍କର ୪୨ ବର୍ଷ। ଗୁଜରାଟର ଅହମଦାବାଦରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।
ଅହମଦାବାଦ ପୁଲିସର ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଅହମଦାବାଦର ବାଟଓ୍ୱା ଜିଆଇଡିସି ଅଞ୍ଚଳରେ ଥିବା ଏକ ଫ୍ଲାଟରୁ ୬ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଅମରିଶ ପଟେଲ(୪୨) ଏବଂ ଗୌରାଙ୍ଗ ପଟେଲ (୪୦) ଏବଂ ୪ ଛୋଟ ଛୁଆ ରହିଛନ୍ତି। ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଉଭୟ ଭାଇ ଅହମଦାବାଦର ଅଲଗା ଅଲଗା ସ୍ଥାନରେ ରୁହନ୍ତି। ବୁଲିବାକୁ ଯାଉଥିବା କହି ଦୁଇ ଭାଇ ନିଜ ନିଜ ଛୁଆଙ୍କୁ ଧରି ଘରୁ ଆସିଥିଲେ।
ତେବେ ଗୁରୁବାର ରାତି ସୁଦ୍ଧା ଉଭୟ ନିଜ ନିଜ ଘର ପହଞ୍ଚିନଥିଲେ। ଏହାପରେ ପରିବାର ଲୋକେ ଏହି ଫ୍ଲାଟକୁ ଆସିଥିଲେ। ଘର ନ ଖୋଲିବାରୁ ପୁଲିସକୁ ପରିବାର ଲୋକେ ଖବର ଦେଇଥିଲେ। ପୁଲିସ କବାଟ ଭାଙ୍ଗି ଘର ଭିତରେ ପ୍ରବେଶ କରିବା ପରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଡ୍ରଇଂ ରୁମରେ ଦୁଇ ଭାଇଙ୍କର ମୃତ ଦେହ ଉଦ୍ଧାର ହୋଇଥିବାବେଳେ ରୋଷେଇ ଘରେ ଦୁଇ ଛୋଟ ଛୁଆଙ୍କର ଶବ ଉଦ୍ଧାର ହୋଇଥିବା ବେଳେ ଆଉ ଏକ ରୁମରେ ଆଉ ଦୁଇ ଛୋଟ ଛୁଆଙ୍କର ଶବ ଉଦ୍ଧାର ହୋଇଛି। ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ପୁଲିସ ମୃତକଙ୍କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତ୍ୟର କାରଣ ଅସ୍ପଷ୍ଟ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।