ନୂଆଦିଲ୍ଲୀ: ପଡ଼ୋଶୀ ରାଜ୍ୟ ହରିଆନା, ପଞ୍ଜାବ, ଉତ୍ତର ପ୍ରଦେଶରେ ନଡ଼ା ଜଳାଇବାରୁ ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ବଢ଼ୁଛି। ଏବେ ଏହି ନଡ଼ାକୁ ଆଉ ପୋଡିବାକୁ ପଡ଼ିବନି। ଏଥିପାଇଁ କେନ୍ଦ୍ର ସରକାର ଚିନ୍ତା କରିଛନ୍ତି। ନଡ଼ାର ସଦୁପଯୋଗ କରାଯାଇ ଚାଷୀକୁ ଲାଭବାନ କରାଯିବ ବୋଲି କେନ୍ଦ୍ର ରାଜ୍ୟ କୃଷିମନ୍ତ୍ରୀ କୈଳାଶ ଚୌଧୁରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସ୍ୱପ୍ନ ରହିଛି, ଚାଷୀଙ୍କ ଆୟକୁ ୨୦୨୨ ସୁଦ୍ଧା ଦୁଇ ଗୁଣା ବଢ଼ାଇବା ପାଇଁ। ଏଥିପାଇଁ ସରକାର ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି। ତେଣୁ ଚାଷୀର ନଡ଼ାକୁ ସରକାର କିଣି ସଦୁପଯୋଗ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ନଡ଼ାରୁ ଛତୁ ପ୍ରସ୍ତୁତ ହେବା ସହିତ ଟାଇଲ ତିଆରି କରିହେବ। ଏମିତିକି ନଡାରୁ ଇନ୍ଧନ ତେଲ ପ୍ରସ୍ତୁତ କରିବା ପାଇଁ ସରକାର ଚିନ୍ତା କରୁଥିବା ସେ କହିଛନ୍ତି।
ଖାଲି ସରକାର ନୁହେଁ ଇଣ୍ଡିଆନ କାଉନସିଲ ଅଫ୍ ଆଗ୍ରିକଲଚର ରିସର୍ଚ୍ଚ ମଧ୍ୟ ନଡ଼ାର ସଦୁପଯୋଗ ନେଇ ଚିନ୍ତା କରୁଛି ବୋଲି ସେ କହିଛନ୍ତି। ନଡ଼ାକୁ ନପୋଡ଼ି ଗାଈ ମାନଙ୍କୁ ଖାଇବାକୁ ଦେବା ସହିତ ଖତ ଓ ସାରରେ ବ୍ୟବହାର କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି।