ମୁମ୍ବାଇ: ବିଶିଷ୍ଟ ସମାଜସେବୀ ତଥା ଦେଶରେ ଦୁର୍ନୀତି ବିରୋଧୀ ସ୍ୱର ଉତ୍ତୋଳନ କରିବାରେ ବଡ଼ ଭୂମିକା ନେଇଥିବା ଆନ୍ନା ହଜାରେଙ୍କୁ ହତ୍ୟା କରିବାପାଇଁ ଷଡ଼ଯନ୍ତ୍ର ହୋଇଥିଲା। ଏଥିପାଇଁ ସୁପାରୀ କଣ୍ଟ୍ରାକ୍ଟ ମଧ୍ୟ ଦିଆଯାଇଥିଲା ବୋଲି ସେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟକୁ କହିଛନ୍ତି। ଶ୍ରୀ ହଜାରେ ଓସ୍ମାନାବାଦ୍ଠାରେ ଥିବା ଟେର୍ନା ସୁଗାର ଫ୍ୟାକ୍ଟ୍ରିରେ ହୋଇଥିବା ଦୁର୍ନୀତି ବାବଦରେ ମୁହଁ ଖୋଲିବାରୁ ତାଙ୍କୁ ମାରିବା ପାଇଁ ଏପରି ଷଡ଼ଯନ୍ତ୍ର ହୋଇଥିଲା।
ସ୍ୱତନ୍ତ୍ର ବିଚାରପତି ଆନନ୍ଦ ୟାଭାଲକରଙ୍କ ଖଣ୍ଡପୀଠରେ କଂଗ୍ରେସ ନେତା ପୱନ୍ ରାଜେ ନିମ୍ବଲକରଙ୍କ ହତ୍ୟା ମାମଲାର ଶୁଣାଣି ସମୟରେ କୋର୍ଟଙ୍କୁ ନିଜେ ଆନ୍ନା ଏକଥା କହିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ଏନ୍ସିପି ନେତା ପଦ୍ମସିଂହ ପାଟିଲ ତାଙ୍କ ସମ୍ପର୍କୀୟ ପୱନ୍ଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ। ୨୦୦୬ ମସିହାର ଏହି ବହୁ ଚର୍ଚ୍ଚିତ ଘଟଣା ଓସ୍ମାନାବାଦ୍ ସୁଗାର ଫ୍ୟାକ୍ଟ୍ରି ମାମଲା ସହ ଜଡ଼ିତ। ଆନ୍ନା କହିଛନ୍ତି, ଏହି ବିଷୟରେ ଅଭିଯୋଗ ଆଣିବା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ଙ୍କୁ ଜଣାଇଥିଲେ ମଧ୍ୟ ପଦ୍ମସିଂହ ଶରଦ୍ ପାୱାରଙ୍କ ଘନିଷ୍ଠ ହୋଇଥିବାରୁ କୌଣସି କାର୍ଯ୍ୟାନୁଷ୍ଠନ ନିଆଯାଇନଥିଲା।
ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଏହାକୁ ବିରୋଧ କରି ଆନ୍ନା ନିଜ ପଦ୍ମଶ୍ରୀ ପୁରସ୍କାର ଏବଂ ବୃକ୍ଷ ମିତ୍ର ସମ୍ମାନ ଫେରାଇଦେଇଥିଲେ। ଏହା ପରେ ମହାରାଷ୍ଟ୍ର ସରକାର ଏକ ତଦନ୍ତ କମିଶନ୍ ଗଢ଼ିବା ସହ ଜଣେ ଅବସରପ୍ରାପ୍ତ ସୁପ୍ରିମ୍କୋର୍ଟ ଜଜ୍ଙ୍କୁ ଏହାର ଦାୟିତ୍ୱ ଦେଇଥିଲେ। ପରେ ଏହି ମାମଲାର ଜଣେ ଅଭିଯୁକ୍ତ ସାକ୍ଷ୍ୟ ଦେଇ ଆନ୍ନାଙ୍କ ହତ୍ୟା ପାଇଁ ହୋଇଥିବା ଷଡ଼ଯନ୍ତ୍ର ବାବଦରେ ମୁହଁ ଖୋଲିଥିଲେ।
ଆନ୍ନା ଏହି ମାମଲାରେ କୋର୍ଟକୁ କହିଥିଲେ, ପାଟିଲ୍ ମୋତେ ଧମକାଇବା ସହ ଅଭିଯୋଗ ପ୍ରତ୍ୟାହାର କରିବାକୁ ଚାପ ପ୍ରୟୋଗ କରିଥିଲେ। ଥରେ ତାଙ୍କ ଲୋକ ମୋ ଅଫିସ୍କୁ ଆସି ବ୍ଲାଙ୍କ ଚେକ୍ ଯାଚିଥିଲେ। ପରେ ପ୍ରତିପକ୍ଷ ଓକିଲଙ୍କ ପ୍ରଶ୍ନରେ ଆନ୍ନା କହିଥିଲେ, ସେ ପୱନ୍ଙ୍କ ହତ୍ୟାକାଣ୍ଡ ବାବଦରେ କେବଳ ଗଣମାଧ୍ୟମରୁ ଯାହା ଶୁଣିବାକୁ ପାଇଥିଲେ। ଆଉ ବିଶେଷ କିଛି ଜାଣନ୍ତିନି ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ ଯେ, ୨୦୦୬ ମସିହାରେ ୨ ଜଣ ବାଇକ୍ ଆରୋହୀ ପ୍ରମୁଖ କଂଗ୍ରେସ ନେତା ପୱନ୍ ରାଜେ ନିମ୍ବଲକରଙ୍କ ସହିତ ତାଙ୍କ ଡ୍ରାଇଭର ସମଦ୍ କାଜିଙ୍କୁ ହତ୍ୟା କରିଥିଲେ। ନଭିମୁମ୍ବାଇଠାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପ୍ରଥମେ ମହାରାଷ୍ଟ୍ର ପୁଲିସ୍ ଏହାର ତଦନ୍ତ କରୁଥିଲା ଏବଂ ପରେ ଏହା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ତଦନ୍ତରେ ପଦ୍ମସିଂହ ପାଟିଲ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ହେବାପରେ ସେ ମନ୍ତ୍ରୀପଦ ଛାଡ଼ିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।